ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ । ଏହି ବ୍ଲକର ସମସ୍ତ ପଂଚାୟତରେ ସରପଂଚ, ସମିତିସଭ୍ୟ ଓ ୱାଡ୍ ସଭ୍ୟ ବିନା ପ୍ରତିଦ୍ୱନ୍ଦୀ କରାଇ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତୀକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ଓ ବିଜେଡ଼ି ନେତୃବୃନ୍ଦ ଆପ୍ରାଣ ଉଦ୍ୟମ କରି ବିଫଳ ହୋଇଛନ୍ତି । ଏହି ବ୍ଲକ ର ୨୨ଟି ପଂଚାୟତ ମଧ୍ୟରେ ମାତ୍ର ଦୁଇଟି ସରପଞ୍ଚ ଓ ସାତ ଜଣ ସମିତିସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିବାବେଳେ ଅନ୍ୟ ସମସ୍ତ ପଂଚାୟତରେ ବିଜେଡି ଓ ବିଜେଡି ବିଦ୍ରୋହି ସରପଂଚ ଓ ସମିତିସଭ୍ୟ ପ୍ରାଥିଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଜଣାପଡିଛି ।ଏଥିରୁ ୱାଡସଭ୍ୟ ପ୍ରାର୍ଥୀମାନେ ମଧ୍ୟ ବାଦ୍ ପଡିନାହାନ୍ତି । ଏହି ବ୍ଳକର ପିତ୍ତଳ ପଂଚାୟତ ନିର୍ବାଚନ ଅତ୍ୟନ୍ତ ରୋଚକପୂର୍ଣ୍ଣ ହୋଇପଡିଛି । ଏଠାରେ ବିଜେଡି ସମର୍ଥୀତ ପ୍ରାର୍ଥୀଭାବେ ପୂର୍ବତନ ସରପଂଚ କୃଷ୍ଣଚନ୍ଦ୍ର ମଳିକ ଓ ପୂର୍ବତନ ସରପଂଚ ଅନୀଲ କୁମାର ମହାପାତ୍ର ଯଥାକ୍ରମେ ସରପଂଚ ଓ ସମିତିସଭ୍ୟ ଭାବେ ଲଢୁଛନ୍ତି । ସେହିପରି ଜିଲାପରିଷଦ ସଭ୍ୟ ପ୍ରମୋଦ ପାତ୍ରଙ୍କ ପୁଅ ରାମରାଘବ ପାତ୍ର ସରପଂଚ ଓ ଜନାର୍ଦ୍ଦନ ପାତ୍ର ସମିତିସଭ୍ୟ ବିଦ୍ରୋହି ପ୍ରାର୍ଥୀଭାବେ ଲଢୁଛନ୍ତି । ବର୍ତ୍ତମାନ ଉଭୟ ଗୋଷ୍ଠୀଙ୍କ ସ୍ଥିତି ପ୍ରାୟ ସମାନ ରହିଛି । ଯାହାକୁ ନେଇ ହାରଜିତ ସ୍ୱଳ୍ପ ବ୍ୟବଧାନରେ ହେବାର ସମ୍ଭାବନା ରହିଛି ।
ଶେରଗଡ ବ୍ଳକର ୫୮ନଂ ଜିଲାପରିଷଦ ନିର୍ବାଚନରେ ବିଜେଡିରୁ ମନୋରମା ପଲେଇ, ବିଜେପିରୁ ସସ୍ମିତା ସ୍ୱାଇଁ ଓ କଂଗ୍ରେସରୁ ସୁଚିତ୍ରା ବେହରା ଲଢୁଥିବାବେଳେ ଏଠାରେ ବିଜେଡି ପ୍ରାର୍ଥନୀଙ୍କ ପଲ୍ଲାଭାରୀ ଥିବା ଜଣାପଡିଛି । ଏଠାରେ ପ୍ରଥମ ପର୍ଯ୍ୟାୟ ତଥା ଆସନ୍ତା ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।