ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଗତକାଲି ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁ କୌଣସି କାର୍ଯ୍ୟରେ ଗୋବିନ୍ଦପୁର ଗ୍ରାମକୁ ଯାଇଥିଲେ । ହେଲେ ସେଠାରେ ଦଳୀୟ କର୍ମୀ ଯେଉଁଭଳି ଢଙ୍ଗରେ ବିରୋଧ କଲେ ତାକୁ ନେଇ ସ୍ଥାନୀୟ ଅଂଚଳରେ ଭିନ୍ନ ଭିନ୍ନ ମତ ଉଠୁଛି । ତେବେ ଏଥିରେ ମର୍ମାହତ ହୋଇ ଗତକାଲି ରାତିରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର ମାନଙ୍କୁ ହାତ ଯୋଡି କ୍ଷମା ପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଛି ।
୨୦୧୯ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସପକ୍ଷରେ ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ଏପରିକି ଭୋଟରମାନେ ଶ୍ରୀ ସାହୁଙ୍କୁ ସମ୍ମାନ ଜଣାଇ ଦଳୀୟ ବିଧାୟକ ପ୍ରାର୍ଥୀ ଜଗଦ୍ଦେବଙ୍କୁ ବିଜୟୀ ମଧ୍ୟ କରାଇଥିଲେ । ତେବେ ୩ ବର୍ଷ ହେବ ଚିଲିକା ନିର୍ବାଚନମଣ୍ଡଳୀ ଅଶାନ୍ତ ରହୁଥିବା ବେଳେ ଉକ୍ତ ନିର୍ବାଚନ ମଣ୍ଡଳୀର ବିକାଶ ହୋଇନଥିବା ଦେଖିବାକୁ ମିଳୁଛି । ଏପରିକି ଦୀର୍ଘ ୩ବର୍ଷ ଧରି ଭୋଟର ମାନେ ଅବହେଳିତ ହୋଇଛନ୍ତି । ତେଣୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଶେଷ ବିକାଶମୂଳକ କାର୍ଯ୍ୟ ହୋଇନଥିବା ହେତୁ ସେ ଭୋଟର ମାନଙ୍କୁ ଯୋଡ଼ହସ୍ତରେ କ୍ଷମାପ୍ରାର୍ଥନା କରିଛନ୍ତି । ଏପରିକି ଆଗାମୀ ପଚାଂୟତ ଏବଂ ପୌର ନିର୍ବାଚନରେ ଉପରୋକ୍ତ ଘଟଣାଗୁଡିକୁ ବିଚାର ଏବଂ ହୃଦୟଙ୍ଗମ କରି ନିଜର ମତ ସାବ୍ୟସ୍ତ କରିବା ପାଇଁ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଅନୁରୋଧ କରିଛନ୍ତି ।
ଅନୁରୂପ ଭାବେ ବିଜେଡିର କର୍ମୀମାନେ ଦଳବିରୋଧୀ କାର୍ଯ୍ୟଲାଗି ରଘୁନାଥ ସାହୁଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ।