
-
ବିଜେପି ଜିଲା ସଭାପତିଙ୍କ ପାଇଁ ସମ୍ମାନର ପ୍ରଶ୍ନ
ଭଦ୍ରକ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭଦ୍ରକ ବ୍ଲକର ବ୍ରହ୍ମପୁର, ବେନ୍ତାଳ ଓ ବଣିଆ ପଂଚାୟତ ଉପରେ ଅନେକଙ୍କ ନଜର । ଏହି ତିନୋଟି ପଂଚାୟତ ବିଜେପି ପାଇଁ ବିଶେଷତଃ ବିଜେପି ଜିଲା ସଭାପତିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । କାରଣ ଜିଲା ସଭାପତି ହେମନ୍ତ ପାଢୀ ନିଜେ ବେନ୍ତାଳ ପଂଚାୟତରେ ସମିତିସଭ୍ୟ ଲଢୁଥିବା ବେଳେ ବଣିଆ ପଂଚାୟତରେ ତାଙ୍କ ପତ୍ନୀ ସସ୍ମିତା ମଧ୍ୟ ସମିତିସଭ୍ୟ ପାଇଁ ଲଢୁଛନ୍ତି । ବ୍ରହ୍ମପୁର ପଞ୍ଚାୟତ ହେଉଛି ହେମନ୍ତଙ୍କ ରାଜନୀତିର ଏନ୍ତୁଡିଶାଳ । ଉଲ୍ଲେଖଥାଉକି; ବିଜେପି ଜିଲା ସଭାପତି ହେମନ୍ତ ଗତ ୨୦୧୭ ପଂଚାୟତ ନିର୍ବାଚନ ବେଳେ ବିଜେଡିର ଜଣେ ତୁଙ୍ଗ ନେତା ଥିଲେ । ସେ ମଧ୍ୟ ଜିଲା ପରିଷଦ ନିର୍ବାଚିତ ହୋଇଥିଲେ । ପୂର୍ବତନ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ । ୨୦୧୯ ନିର୍ବାଚନରେ ଯୁଗଳବାବୁଙ୍କୁ ବିଧାନସଭା ଲଢିବା ଲାଗି ବିଜେଡି ଟିକଟ ନମିଳିବା ପରେ ହେମନ୍ତ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ବିଧାନସଭା ନିର୍ବାଚନ ପରେ ହେମନ୍ତ ବିଜେପିର ଜିଲା ସଭାପତି ହେଲେ । ଏବେ ପଂଚାୟତ ନିର୍ବାଚନରେ ଭଦ୍ରକ ବ୍ଲକରେ ଚର୍ଚାକୁ ଆସିଛନ୍ତି ହେମନ୍ତ । ଭଦ୍ରକର ଅତୀତ ରାଜନୀତିକୁ ପରଖିଥିବା ହେମନ୍ତ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ କୋ÷ଣସି ସମୟରେ ପାଣିପାଗ ବଦଳିପାରେ ବୋଲି ଅନୁମାନ କରି ଏଥିପାଇଁ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । ଭଦ୍ରକ ପଂଚାୟତ ସମିତିରେ ବିଜେପିର ଉପସ୍ଥିତିକୁ ଜାହିର କରିବା ଲକ୍ଷ୍ୟରେ ଅଛନ୍ତି ହେମନ୍ତ । ନିଜେ ସମିତିସଭ୍ୟ ପାଇଁ ଲଢିବା ଓ ପତ୍ନୀଙ୍କୁ ମଧ୍ୟ ସମିତିସଭ୍ୟ ଲଢିବାର ସୁଯୋଗ ଦେବା ଉକ୍ତ ରଣନୀତିର ଅଂଶବିଶେଷ ବୋଲି କୁହାଯାଇପାରେ । ତେବେ ହେମନ୍ତ ଲଢୁଥିବା ବେନ୍ତାଳ ପଂଚାୟତରେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି । ସେଠାରେ ସମିତିସଭ୍ୟ ପାଇଁ ବିଜେଡିରୁ ବିଦ୍ରୋହୀଙ୍କ ଆବିର୍ଭାବ ହେମନ୍ତଙ୍କ ପାଇଁ କିଛିଟା ସୁବିଧାଜନକ ହୋଇପାରେ ବୋଲି କୁହାଯାଉଛି । ସେହିପରି ପତ୍ନୀଙ୍କୁ କୋ÷ଣସି ମତେ ବଣିଆ ପଂଚାୟତରୁ ଜିତାଇବା ହେମନ୍ତଙ୍କ ଲକ୍ଷ୍ୟ ହୋଇଛି । ବ୍ରହ୍ମପୁର ପଂଚାୟତରେ ଗତ ୧ ତାରିଖରେ ଜଣେ ଯୁବକ ଶୁଭାଶୀଷ ଗିରିଙ୍କ ମୃତ୍ୟୁ ହେବା ଓ ଏହି ଘଟଣାରେ ଦୁଇ ବିଜେଡି ନେତା ଗିରଫ ହେବା ପରେ ସେଠାରେ ରାଜନୈତିକ ଉଷ୍ମତା ବଢିଛି । ହେମନ୍ତଙ୍କ ଲାଗି ଏହି ପଂଚାୟତ ଦଖଲ ଏକ ଆହ୍ୱାନ ହୋଇଛି । ଅପରପକ୍ଷେ ପୂର୍ବରୁ ବିଜେଡିରେ ଥିବା ହେମନ୍ତଙ୍କର ବିଜେଡିର ପୁୁରୁଖା ନେତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବି ରହିଛି । ତହିଁରୁ ମଧ୍ୟ ସେ ଫାଇଦା ନେଇପାରନ୍ତି ବୋଲି କୁହାଯାଉଛି । ତେବେ ହେମନ୍ତଙ୍କୁ ନେଇ ଏତେସବୁ ଆକଳନ ହେଉଥିବା ବେଳେ ସେ କିନ୍ତୁ ନିଜ ରଣନୀତିରେ କେତେ ସଫଳ ହେବେ ତାହା କେବଳ ସମୟ କହିବ ।