
ବଲାଙ୍ଗିର ,ବାହାଘର ମାଂସ ଭୋଜି ପାଇଁ ବଜାର ରୁ କିଣି ରଖିଥିବା ଛେଳି ଚୋରୀ ହୋଇ ଯାଇ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ କନ୍ଧ ପାଲି ଅଂଚଳରୁ ଗତ କାଲି ରାତିରେ ଏହି ଘଟଣା ଘଟିଛି। କନ୍ଧପାଲି ପଡାର ଶିବୁ ବଗର୍ତ୍ତିଙ୍କ ଆଜି ମାଟିପକା ଥିବା ବେଲେ, ଆସନ୍ତା ୧୧ ତାରିଖରେ ବାହାଘର ଥିଲା । ସେ ୧୨ ତାରିଖରେ ବନ୍ଧୁବାନ୍ଧବଙ୍କୁ ମାଂସ ଭୋଜି ଦେଇଥାନ୍ତେ । ସେଥିପାଇଁ ଧାର ଉଧାର କରି ପ୍ରାୟ ଦେଢ ଲକ୍ଷ ଟଙ୍କାରେ ୧୧ ଟି ଛେଲି କିଣିଥିଲେ ଶିବୁଙ୍କ ବାପା ଶତୃଘ୍ନ । ଘର କୁ ଲାଗିଥିବା ଏକ ଷ୍ଟୋର ରୁମରେ ଛେଲିଙ୍କୁ ଭର୍ତ୍ତି କରି ତାଲା ଦେଇ ରଖିଥିଲେ । ଗତକାଲି ବିଲମ୍ୱିତ ରାତିରେ ଚୋର ମାନେ ଆସି ତାଲା କାଟି ୧୧ ଟି ଛେଲିରୁ ୧୦ ଟି ଛେଲିକୁ ଚୋରୀ କରି ନେଇଛନ୍ତି । ଗୋଟିଏ ଛେଲି ଅସୁସ୍ଥ ଥିବାରୁ ତାକୁ ଛାଡି ଦେଇଛନ୍ତି ଚୋର । ଆଜି ସକାଳୁ ଛେଲି ଚୋରୀ ହୋଇଥିବା ଦେଖିବା ପରେ ଗରିବ ପରିବାରରେ ଚଡକ ପଡିଥିଲା । ଦୁଇଦିନ ପରେ ବାହାଘର ଭୋଜି, କିନ୍ତୁ ଚୋରୀ ହୋଇଗଲା ଛେଲି । ବନ୍ଧୁବାନ୍ଧବଙ୍କୁ ମାଂସ ଭୋଜି ଦେଇପାରିବେ ନାହିଁ ପରିବାର ଲୋକେ । ଏବେ ଥାନା ଅଗରେ ବର ଶିବୁ ବଗର୍ତ୍ତିଙ୍କ ମାଁ କାନ୍ଦି କାନ୍ଦି ଚୋରଙ୍କୁ ଶାସ୍ତି ଦେବାକୁ ଅନୂରୋଧ କରିଛନ୍ତି ।ଘରେ ସେ ଏକାକୀ ରୋଜଗାରିଆ ବହୁ କଷ୍ଟରେ ଟଙ୍କା ଯୋଗାଡ କରି ସେ ଏହା କିଣିଥିଲେ ତାଙ୍କୁ କିଏ ସାହାଯ୍ଯ କରିବ ବୋଲି କାନ୍ଦି ପକାଇଥିଲେ । ଆଜି ଟାଉନ ଥାନାରେ ରିପୋର୍ଟ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।