
ଭୁବନେଶ୍ୱର , ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ କେବଳ ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିବା ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିଳିବ ।ଟିକା ପ୍ରମାଣପତ୍ର କିମ୍ବା ଆଧାର ଓ ଭୋଟର ଆଇଡି କାର୍ଡ ଦେଖାଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିପାରିବେ । ମନ୍ଦିରର ଗର୍ଭଗୃହକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ଭୋଗ ମଧ୍ୟ ଲଗାଇପାରିବେ ନାହିଁ । ପରିଚୟ ପତ୍ର ଦେଖାଇ ୧୫ ବର୍ଷରୁ କମ୍ ବୟସର ଶିଶୁ ମନ୍ଦିରକୁ ପ୍ରବେଶ କରିପାରିବେ ।
ସେହିପରି ଗୋଟିଏ ଥରରେ ଲିଙ୍ଗରାଜ ମନ୍ଦିରକୁ ଶହେ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ୨ଟି ଡୋଜ୍ ଭ୍ୟାକ୍ସିନ ନେଇଥିବା ମନ୍ଦିର ପୂଜକ ଓ ସେବାୟତ ହିଁ ମନ୍ଦିରରେ ରହିବେ । ଧର୍ମାନୁଷ୍ଠାନରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ । ଧର୍ମାନୁଷ୍ଠାନ ବାହାରେ ସାନିଟାଇଜର ରହିବା ବାଧ୍ୟମତାମୂଳକ । ମନ୍ଦିର ବାହାରେ ଓ ଭିତରେ ପାନ ଗୁଟଖା ଚୋବାଇବା ମନା କରାଯାଇଛି । ସାମାନ୍ୟ କରୋନା ଲକ୍ଷଣ ଥିଲେ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେହିପରି ବୃଦ୍ଧ ଓ ଗର୍ଭବତୀଙ୍କୁ ମନ୍ଦିର ନଯିବାକୁ ପରାମର୍ଶ ଦିଆଯାଇଛି । ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।