ଭୁବନେଶ୍ୱର, ବଳକା ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ବିଜେଡି ପକ୍ଷରୁ ଏଫସିଆଇ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଯଦି କେନ୍ଦ୍ର ସରକାର ଏହି ଦାବି ନ ମାନନ୍ତି, ତେବେ ଏହି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହି ସମୟରେ ମନ୍ତ୍ରୀ ଅଶୋକ ପଣ୍ଡା ଅଭିଯୋଗ କରିଛନ୍ତି, ଓଡ଼ିଶାର ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ ହେଉଥିବା ବେଳେ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଉଠାଇବା କଥା । କିନ୍ତୁ କେନ୍ଦ୍ର ସରକାର ତାହା ପ୍ରତ୍ୟାଖ୍ୟାନ କରିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ସେ କହିଛନ୍ତି । ବିଜେଡି ଅଭିଯୋଗ କରିଛି ଯେ, ଏଫସିଆଇର ଟାଳଟୁଳ ନୀତି ଯୋଗୁ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି । କେବଳ ନିର୍ବାଚନ ସମୟରେ ଚାଷୀଙ୍କ କଥା କହୁଥିବା ବିଜେପି, ପ୍ରତିଶ୍ରୁତି ଓ ପ୍ରତାରଣାର ଦଳ ପାଲଟିଛି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ ।
ସୂଚନାଯୋଗ୍ୟ, ଗତକାଲି ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା ବିଜୁ ଜନତା ଦଳ । ଚାଷୀଙ୍କ ସ୍ୱାର୍ଥରକ୍ଷା ପ୍ରସଙ୍ଗରେ ବିଜେପି ସବୁବେଳେ ଦୋମୁହାଁ ନୀତି ଗ୍ରହଣ କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ।