ଭୁବନେଶ୍ୱର, ଆସନ୍ତା ପୈାର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସ୍ଥାନ ଓ ପଦ ସଂରକ୍ଷଣ ଏବଂ ଭୋଟର ତାଲିକା ପ୍ରସଙ୍ଗରେ ବିଜ୍ଞପ୍ତି ଜାରୀ କରିଛନ୍ତି । ପୌରାଧ୍ୟକ୍ଷ ସଂରକ୍ଷଣକୁ ନେଇ ହୋଇଥିବା ଏକ ବଡ ଚଂଚକତା ସାମ୍ନାକୁ ଆସିଛି । ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ମ୍ୟୁନିସିପାଲିଟିର ୮୦ ପ୍ରତିଶତ ଆଦିବାସୀ ବହୁଳ ହୋଇଥିବା ବେଳେ ୩ଟି ୱାର୍ଡ ଅଣସଂରକ୍ଷିତ ହୋଇଥିବା ବେଳେ ଅନ୍ୟ ସମସ୍ତ ଏସଟିଙ୍କ ପାଇଁ ସଂରକ୍ଷିତ ରହିଛି । ଏଭଳି ସ୍ଥିତିରେ ପୌରାଧ୍ୟକ୍ଷ ପଦଟି କେଉଁ ଆଧାରରେ ଅଣସଂରକ୍ଷିତ ଭାବେ ପ୍ରକାଶ ପାଇଛି ? ଏହାକୁ ବିରୋଧ କରି ବିରମତ୍ରପୁର ବିଧାୟକ ଶଙ୍କର ଓରାମ ଗତ ଜାନୁଆରୀ ୨୮ ତାରିଖ ଦିନ ଡାଇରେକ୍ଟର ମ୍ୟୁନିସିପାଲ ଆଡମିନଷ୍ଟ୍ରେସନ୍, ହାଉସିଂ ଓ ଅର୍ବାନ ଡେଭେଲପମେଂଟ୍, ଓଡିଶା ସରକାରଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି । ଏଭଳି କିଛି ଅଭିଯୋଗକୁ ନେଇ ଆଜି ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ।
ସେହିପରି ଗତ ୩ ତାରିଖ ସକାଳେ ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ପଦମପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଡୁମୁଡୁମି ଛକ ଠାରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁବାଷିଶ ସାହୁଙ୍କ ହୋର୍ଡିଂ / ବ୍ୟାନରକୁ ସ୍ଥାନୀୟ ତହସିଲଦାରଙ୍କ ସରକାରୀ ଗାଡି (ଓଡି-୦୭ ଏବି ୫୫୬୬)ରେ କିଛି ବିଜେଡି କର୍ମୀମାନେ ଆସି ଚିରିଫାଡି ଦେଇଥିଲେ । ଯାହାକି ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ଏହାର ସିଡି ମଧ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି ।
ସେହିଭଳି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଜୋନ ନଂ-୨ ଅନ୍ତର୍ଗତ ଗୈାଡଛେଣ୍ଡିଆ ଗ୍ରାମରେ ବିଜେଡି କାର୍ଯ୍ୟକର୍ତାମାନେ ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଖୋଲାଖୋଲି ଭାବେ ଟଙ୍କା ବଂଟନ କରିବାର ଭିଡିଓ ଭାଇରାଲ ହୋଇଛି । ଏଭଳି ବେନିୟମ କାର୍ଯ୍ୟ ବିରୋଧରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହି ଘଟଣାର ସିଡି ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି ।
ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ପଂଚାୟତ ଏବଂ ପୈାର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି । ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲସେଲ୍ର ରବି ଶଙ୍କର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ସୁଶାନ୍ତ କୁମାର ଜେନା ପ୍ରମୁଖ ସାମିଲ ଥିଲେ ।