ଭୁବନେଶ୍ୱର, ବଳକା ଉଷୁନା ଚାଉଳ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଏହି ଅଭିଯୋଗ ନେଇ ଆସନ୍ତା କାଲି ( ମଙ୍ଗଳବାର) ଠାରୁ ବିଜେଡି ଭୁବନେଶ୍ୱର ଏଫସିଆଇ ଆଗରେ ବିଜେଡି ପକ୍ଷରୁ ଗଣ ଧାରଣା ଦିଆଯିବ ।
ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ସୁଲତା ଦେଓ କହିଛନ୍ତି ଯେ ନିର୍ବାଚନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ । ଧାନ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଭାବେ ଓଡିଶାକୁ ବିବେଚନା କରାଯାଏ । ଓଡିଶାରେ ପ୍ରଚୁର ପରିମାଣରେ ଉଷୁନା ଚାଉଳ ଉତ୍ପାଦନ କରାଯାଇଥାଏ । କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ବଳକା ଚାଉଳ ସଂଘୀୟ ବ୍ୟବସ୍ଥା ଅନୁସାରେ ଉଠାଣ କରିଥାନ୍ତି । କିନ୍ତୁ କେନ୍ଦ୍ର ସରକାର ଓଡିଶା ସହ ଖେଳୁଛନ୍ତି । ଓଡିଶାର ଚାଷୀଙ୍କ ସହ ଅନ୍ୟାୟ କରୁଛନ୍ତି ।ବିଜେପି ନେତା ମାନେ କେବଳ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି । ଚାଷୀଙ୍କ ସହ ଖେଳିଥାନ୍ତି । ଏନେଇ ବିଜେପିର କୌଣସି ସାଂସଦ ମଧ୍ୟ କେନ୍ଦ୍ର ନିକଟରେ ଫେରାଦ ହୋଇନଥିବା ଅଭିଯୋଗ କରିଛି ବିଜେଡି ।
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ୨୦୨୦ ମସିହାରେ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଛି । ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ ନିଜର ବ୍ୟବହାର ନିମନ୍ତେ ରଖିଛନ୍ତି । ମୋଟାମୋଟି ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା କଥା । ଏବି ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ୨ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ, ୫ ଲକ୍ଷ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଉଷୁନା ଚାଉଳ ଉଠାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏବଂ ବାକି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ପରବର୍ତୀ ସମୟରେ ଉଠାଇବେ ବୋଲି କହିଥିଲେ । କିନ୍ତୁ ସେଥିରେ ଗୋଚଟିଏ ମଧ୍ୟ କେନ୍ଦ୍ର ସରକାର ପୂରଣ କରି ନାହାଁନ୍ତି ।