ନରସିଂହପୁର, ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଆଇଆଇସି । ଏକ ମାମଲାର ସମାଧାନ କରିଦେବା ପାଇଁ ୨୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ । ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ନରସିଂହପୁର ସ୍ଥିତ ତାଙ୍କ ସରକାରୀ ବାସଭବନ ଓ ଯୁଯୁମରା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ୍ କରାଯାଇଛି ।
ମିଳିଥିବ ସୂଚନା ଅନୁସାରେ, ଆଇଁସିଆ ଗାଁର ନବ କିଶୋର ନାୟକ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଥାନାରେ ମାମଲା ଚାଲିଛି । ଏହି ମାମଲାର ସମାଧାନ ପାଇଁ ନବ କିଶୋରଙ୍କୁ ଆଇଆଇସି ଅଲେଖ ଗରଡ଼ିଆ ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ନବ କିଶୋର ଏ ସମ୍ପର୍କରେ ଭିଜିଲାନ୍ସକୁ ଖବର ଦେଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ସେ ଆଇଆଇସିଙ୍କୁ ୨୦ ହଜାର ଟଙ୍କା ଦେଉଥିବା ବେଳେ ୧୫ ଜଣିଆ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଥାନା ଅଧିକାରୀଙ୍କ ଠାରୁ ଲାଂଚ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ପରେ ଅଲେଖଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।