ଆର.ଉଦୟଗିରି, ଗଜପତି ଜିଲା ଆର.ଉଦୟଗିରି ଠାରୁ ମୋହନା ରାସ୍ତାକୁ ଦୀର୍ଘ ୮ବର୍ଷ ତଳେ ପୂର୍ତ ବିଭାଗ ଦ୍ୱାରା ନିର୍ମାଣ ହୋଇଥିଲା । ରାସ୍ତାଟି ରାଜ୍ୟ ରାଜପଥ ନଂ ୩୨୬ (ଏ) ରୂପେ ଘୋଷଣା ହେବାପରେ ୨୦୧୬ ରେ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା । ଆଜି ପର୍ଯ୍ୟନ୍ତ ଆର,ଉଦୟଗିରି ଶଙ୍କନଦୀ ନିକଟରେ ପୋଲ ସମୁଖରେ ବଡ ଖାଲ ମରାମତି ହୋଇ ପାରିଲାନି । ସେହି ପରି ଚାନ୍ଦିପୁଟ ହାଟପଦା ନିକଟରେ ଥିବା ପୋଲ ଏବଂ ମାଣିକପୁର ନିକଟରେ ମଧ୍ୟ ଏକ ବଡ ଗର୍ତ ରହିଛି । ଚାନ୍ଦିପୁଟ ଓ ମାଣିକପୁର ଠାରେ ଦୁର୍ଘଟଣା ଘଟିବା ପରେ ପଥର ଗୁଣ୍ଡ ପକାଇ କାମ ଚଳା ଯାଇଛି । ଅଦିନିଆ ବର୍ଷାରେ ତାହା ଧୋଇ ହୋଇଯାଇଛି । ସେହିପରି ମୋହନା ଲେଡେବନ୍ଧ ପୋଲ ନିକଟରେ ବିରାଟ ବଡ ଖାଲ ହୋଇଯାଇଛି । ଏଠାରେ ବାରମ୍ବାର ଦୁର୍ଘଟଣାର ଶୀକାର ହେଉଛନ୍ତି ଲୋକେ । ମୋହନା ଠାରୁ ଆର.ଉଦୟଗିରି ୪୭ କି.ମି. । କିନ୍ତୁ, ମୋଟର ସାଇକଲ ଓ ବସ୍ ରେ ଦୁଇ ଘଂଟାରୁ ତିନି ଘଂଟା ସମୟ ଲାଗୁଛି । ଏହି ରାସ୍ତାରେ ୩ ଶହରୁ ଉର୍ଦ୍ଧ୍ୱ ଖାଲ ଖମା ରହିଛି । ଏହି ରାସ୍ତା ଦେଇ ବିଭାଗୀୟ ଯନ୍ତ୍ରୀ, ଜନ ପ୍ରତିନିଧି ଏବଂ ପଦାଧିକାରୀ ଯାତାୟାତ କରୁଛନ୍ତି । ତଥାପି ଏହାର ପୁନରୁଦ୍ଧାର ଚିନ୍ତା କରୁନଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି । ରାସ୍ତା ଉପରେ କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଟିକସ ଆଦାୟ ହେଉଛି । ଦୀର୍ଘ ବର୍ଷ ହେବ ରାସ୍ତାର ଦୁଇ ପାଶ୍ୱର୍ରୁ ଲଟାବୁଦା ସଫା କରାଯାଉନି, ଯାହାଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି । ଆର,ଉଦୟଗିରିରୁ ଖଜୁରିପଦା ରାସ୍ତାରେ ବାଦପୁର ଘାଟିରେ ରାସ୍ତା ଅତି କଦର୍ଯ୍ୟ ହୋଇଥିବା ବିଷୟ ନେଇ ଯନ୍ତ୍ରୀଙ୍କୁ ବହୁବାର ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ପ୍ରତିବର୍ଷ ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା କାମ କାଗଜ ପତ୍ର କରାଯାଉଛି । ଆର.ଉଦୟଗିରି ଆସିଡିଏସ ଅଫିସରୁ ରାସ୍ତାର ଦୁଇ ସାଇଡ୍ ଡ୍ରେନ ନଥିବାରୁ ସାମାନ୍ୟ ବର୍ଷା ହେଲେ ଗ୍ରାମର ସମସ୍ତ ଅଳିଆ ରାସ୍ତା ଉପରେ ଭାସୁଛି ତାହାସହ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚତାରେ ପାଣି ଜମି ଯାଉଛି । ଯାହାଫଳରେ ଲୋକେ ଯାତାୟତ କରିବା ଭାରି ଅସୁବିଧା ହେଉଛି । ଆର. ଉଦୟଗିରି ସଙ୍କନଦୀ ଉପରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହୁଛି । ଏଠାରେ ନିଯୁକ୍ତ ହୋଇଥିବା ସହକାରୀ ଓ କନିଷ୍ଠ ଯନ୍ତ୍ରୀ ଆର.ଉଦୟଗିରିରେ ନ ରହି ସେମାନେ ପାରଳାଖେମଣ୍ଡି ରହୁଛନ୍ତି । ଏଣେ ଜାତୀୟ ରାଜପଥ ନଂ ୩୨୬କୁ ମରାମତି କରାନଗଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।
ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତୀ ଧନଞ୍ଜୟ ହଂସବର୍ଦ୍ଧନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ମୋହନାରୁ ଚଚାଂଘାଟି ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ୧୫ କୋଟି ଆସିଛି ଏବେ ଏହି ରାସ୍ତାର ସଫାକାମ ଚାଲିଛି । ଚଚାଂଘାଟିରୁ ହାତିବାଡି ରାସ୍ତା କାମ ପାଇଁ ଆମେ ସେଂଟରକୁ ଏଷ୍ଟିମେଂଟ ପଠାଇଛୁ, ଟଙ୍କା ଆସିଲେ କାମ ହେବ ବୋଲି କହିଥିଲେ ।