
ପୁରୀ, ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ଅଧିକ ସଂଖ୍ୟକ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୬ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା ରହିଛି । ପୂର୍ବଭଳି ଶ୍ରଦ୍ଧାଳୁ ମାନେ କିଓସ୍କୋରେ କରୋନା ଡବଲ୍ ଡୋଜ୍ ଟୀକା ସାର୍ଟିଫିକେଟ କିମ୍ବା ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ପୁରୀ ପୌରାଚଂଳ ବାସିନ୍ଦା ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ ଓ ବେଢ଼ା ପରିକ୍ରମା ପରେ ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୨ ଦିନ ପରେ ଗତକାଲି ଠାରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲିଛି ଶ୍ରୀମନ୍ଦିର । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶକୁ ବନ୍ଦ ରଖାଯାଇଥିଲା । ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଛତିଶାନିଯୋଗ ବୈଠକରେ ନିଷ୍ପତି କ୍ରମେ ଭକ୍ତଙ୍କ ଦର୍ଶନ ପାଇଁ ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ପ୍ରତ୍ୟେକ ରବିବାର ଭକ୍ତ ଦର୍ଶନ ବନ୍ଦ ରହିବ ।