-
ଫେବୃଆରୀ ୧୦ରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା
ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ପୌରାଂଚଳ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଳିଟି ପାଇଁ ୧୭୫୬ କାଉନସିଲର ପଦବି ରହିଛି । ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତଙ୍କ ପାଇଁ ୬୬୮ଟି ଆସନ ସଂରକ୍ଷଣ ଥିବା ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପୌର ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତି ଚାଲିଛି । ସେ କହିଛନ୍ତି ଯେ, ଫେବ୍ରୁଆରି ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଏହାପରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଦାଖଲ ହୋଇପାରିବ । ଏହାପରେ ଫେବ୍ରୁଆରି ୧୮ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦାବି ଓ ଆପତ୍ତି ଗୁଡିକର ତଦନ୍ତ ଓ ଫଇସଲା ହେବ । ଏହାପରେ ଫେବ୍ରୁଆରି ୨୪ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରଦାନ କରାଯିବ । ଏହା ପରେ ନିର୍ବାଚନ ନେଇ ତାରିଖ ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।