ଭୁବନେଶ୍ୱର, ୩୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ରେ ଅପହୃତ ଛାତ୍ର ଉଦ୍ଧାର ହୋଇଛନ୍ତି । ମୋବାଇଲ ଟ୍ରାକିଂ କରି ସୁନାଖଳାର ଥିବା ଏକ ଜଙ୍ଗଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ । ଏହାସହ ୩ ଅପହରଣକାରୀଙ୍କୁ ପୋଲିସ୍ ଅଟକ ରଖ ପଚରାଉଚରା କରୁଛି । ଦୁର୍ବୃତମାନଙ୍କଠାରୁ ଏକ କାର୍ , ମାରଣାସ୍ତ୍ର, ମୋବାଇଲ ଫୋନ୍ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ଏହି ଗ୍ୟାଙ୍ଗ କିଛି ଲୋକଙ୍କୁ ଅପହରଣ କରିଛନ୍ତି । ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଖୋଜୁଛି ପୁଲିସ ।
ଉଲ୍ଲେଖଯୋଗ୍ୟ, ଅପହୃତ ଛାତ୍ର ହେଉଛନ୍ତି ଇଶାନ ଅଗ୍ରୱାଲ । ଛାତ୍ରଙ୍କ ଘର ଲକ୍ଷ୍ମୀସାଗର ଥାନା ଅଂଚଳରେ । ତାଙ୍କ ବାପା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଛାତ୍ରଜଣକ ବେଙ୍ଗାଲୁରୁରେ ବିବିଏ ପଢ଼ୁଛନ୍ତି । କୋଭିଡ୍ ପାଇଁ ଏବେ ଅନ୍ଲାଇନ୍ କ୍ଲାସ୍ ଚାଲୁଥିବାରୁ ସେ ଘରକୁ ଆସିଥିଲେ । ସବୁଦିନ ସନ୍ଧ୍ୟାରେ ସେ ଝାରପଡ଼ା ନିକଟ ଏକ ଓମ୍ଫେଡ ବୁଥ୍ କୁ ଚା’ ପିଇବାକୁ ଯାଆନ୍ତି । ଗତକାଲି ସେ ସେଠାରେ ଚା’ ପିଉଥିବା ବେଳେ ୩ଜଣ ଯୁବକ ଏକ କାର୍ ରେ ଆସି ଛାତ୍ରଙ୍କ ସହ କଥାବାର୍ତା ହେବା ଛଳରେ ସିନେମା ଷ୍ଟାଇଲ୍ ରେ ତାଙ୍କ ଅଂଟାରେ ବନ୍ଧୁକ ଲଗାଇ କାର୍ ରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ତାଙ୍କୁ ଅପହରଣ କରି ନେଇ ଯାଇଥିଲେ । କିଛି ଘଂଟା ପରେ ସେମାନେ ଛାତ୍ରଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ଛାତ୍ରଙ୍କ ବାପା ତୁରନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଛାତ୍ରଙ୍କୁ ଉଦ୍ଧାର କରିବାକୁ ସ୍ପେସାଲ ସ୍କ୍ୱାଡ୍ ସମେତ ୩ଟି ସ୍ୱତନ୍ତ୍ର ଟିମ୍ ଛାନ୍ଭିନ୍ ଆରମ୍ଭ କରିଥିଲେ ।
ପୋଲିସ ପ୍ରଥମେ ଓମ୍ଫେଡ୍ ଷ୍ଟଲ୍ କୁ ଯାଇ ଛାତ୍ରଙ୍କ ସ୍କୁଟି ଜବତ କରିବା ସହ ଘଟଣାସ୍ଥଳରେ ପଚରାଉଚରା କରିଥିଲା । ଏହା ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ଖୋଳତାଡ଼ କରିଥିଲା । ଅପହର୍ତାମାନେ କଲ୍ କରିଥିବା ମୋବାଇଲ ଫୋନ୍ କୁ ଟ୍ରାକିଂ କରି ସେମାନଙ୍କ ନିକଟରେ ପହଂଚିଥିଲା ।