
ପୁରୀ, ପ୍ରତୀକ୍ଷାର ଅନ୍ତ ଘଟିଛି । ପୁଣି ଥରେ ଭକ୍ତ ଆଉ ଭଗବାନଙ୍କ ମହାମିଳନ ହୋଇଛି । ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ୨୨ ଦିନ ପରେ ଆଜି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ସକାଳ ୬ଟା ଠାରୁ ଦର୍ଶନ ଆରମ୍ଭ ହୋଇଛି । ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରି ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ।
ପୂର୍ବଭଳି ଶ୍ରଦ୍ଧାଳୁ ମାନେ କିଓସ୍କୋରେ କରୋନା ଡବଲ୍ ଡୋଜ୍ ଟୀକା ସାର୍ଟିଫିକେଟ କିମ୍ବା ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ପୁରୀ ପୌରାଚଂଳ ବାସିନ୍ଦା ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ ଓ ବେଢ଼ା ପରିକ୍ରମା ପରେ ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଆଜି ଭୋର ସାଢ଼େ ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତୀ, ମଇଲମ ଓ ବେଶ ଶେଷ ପରେ ସକାଳ ୬ଟା ଠାରୁ ଭକ୍ତ ଦର୍ଶନ ପାଇଁ ସିଂହଦ୍ୱାର ଖୋଲିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶକୁ ବନ୍ଦ ରଖାଯାଇଥିଲା । ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଛତିଶାନିଯୋଗ ବୈଠକରେ ନିଷ୍ପତି କ୍ରମେ ଭକ୍ତଙ୍କ ଦର୍ଶନ ପାଇଁ ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ପ୍ରତ୍ୟେକ ରବିବାର ଭକ୍ତ ଦର୍ଶନ ବନ୍ଦ ରହିବ ।