
-
ଅବସ୍ଥା ସଙ୍କଟାପନ୍ନ, ଭୁବନେଶ୍ୱର ସ୍ଥାନାନ୍ତରିତ
ଗଞ୍ଜାମ, ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ବାହାରେ । କାଳିଆ ସାମନ୍ତରା ନାମକ ଏହି ଯୁବକ ଜଣକ ଗତକାଲି ରାତିରେ ଏକ ଅଭିଯୋଗକୁ ନେଇ ଗୋଳନ୍ଥରା ଥାନାକୁ ଯାଇଥିଲେ । ଥାନା ଅଧିକାରୀଙ୍କ ସହିତ କଥାବାର୍ତା ହୋଇଥିଲେ । ଏହାପରେ ସେ ମାନସିକ ଭାରସାମ୍ୟ ହରାଇ ଥାନା ବାହାରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତି କରିଥିଲା । ପରବର୍ତି ସମୟରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ତାଙ୍କୁ କେହି ଧମକ ଦେଇଥିବା ନେଇ ସେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା କୁହାଯାଉଛି । ବ୍ରହ୍ମପୁର ଏସପି ପୀନାକ ମିଶ୍ର, ଟାଉନ୍ ଥାନା ଆଇଆଇସି ଏବଂ ଗୋଳନ୍ଥରା ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି ।