-
ଆଇନ ତା ବାଟରେ କାମ କରୁଛି : ବିଜେଡି
ଭୁବନେଶ୍ୱର,ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟାଳୟରେ ପୋଲିସ୍ ପଶିବା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ମୁଁ ନ ଥିବା ଅବସ୍ଥାରେ ବିନା ଅନୁମତିରେ ପୋଲିସ୍ ମୋ ଅଫିସକୁ ପଶିବା ଦୁର୍ଭାଗ୍ୟଜନକ । ଆମର ବିକାଶ ଧାରାରେ ହତୋତ୍ସାହିତ ହୋଇ ଶାସକ ଦଳ ବିଜେଡି ଏଭଳି କରୁଛି । ବିଗତ ନିର୍ବାଚନରେ ମୟୂରଭଞ୍ଜରେ ସେମାନଙ୍କ ପରାଜୟ ଯୋଗୁଁ ହତୋତ୍ସାହିତ ହୋଇପଡ଼ିଛନ୍ତି । ତେବେ ଆସିଥିବା ଅଭିଯୋଗ ମିଥ୍ୟା ଓ ରାଜନୈତିକ ଅଭିସନ୍ଧିମୂଳକ ବୋଲି ସେ କହିଛନ୍ତି । ଗତକାଲି ପୋଲିସ୍ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବାରିପଦାସ୍ଥିତ କାର୍ଯ୍ୟାଳୟରେ ପଶି ଜଣେ ଯୁବକଙ୍କୁ ପଚରାଉଚରା କରି ଫେରିଆସିଥିଲା ।
ଅପରପକ୍ଷରେ ଏହି ମାମଲାରେ ପ୍ରତିକ୍ରିୟା ଦେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ କହିଛନ୍ତି ଯେ ଆଇନ ତା ବାଟରେ କାମ କରୁଛି । ସେ ମନ୍ତ୍ରୀ ହୁଅନ୍ତୁ କି ଯନ୍ତ୍ରୀ ହୁଅନ୍ତୁ । ଆଇନ ଅନୁଯାୟୀ ଯାହା କାର୍ଯ୍ୟ ହେଉଛି, ସେଥିରେ କେହି ହସ୍ତକ୍ଷେପ କରୁନାହାନ୍ତି । ଏଥିରେ ଆକ୍ଷେପ କରିବା ଅପେକ୍ଷା ବରଂ ଯାହା ତଦନ୍ତ ପ୍ରକ୍ରିୟା ଚାଲିଛି ତାକୁ ମନ୍ତ୍ରୀ ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଜାନୁଆରୀ ୨୧ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଦେବାଶିଷ ମହାପାତ୍ର ଓ ଆସିଷ୍ଟାସଟ ଡାଇରେକ୍ଟର ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନିଜ ତକତପୁର ସ୍ଥିତ କାର୍ଯ୍ୟାଳୟକୁ ଡକାଇଥିଲେ । ଦୁଇ ଅଧିକାରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ହେଲେ ସେମାନେ ବିଭାଗର ଫାଇଲ ଆଣିନଥିବାରୁ ଉଭୟଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ମନ୍ତ୍ରୀ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେଠାରେ ମନ୍ତ୍ରୀ ପ୍ଲାଷ୍ଟିକ ଚେୟାର ଉଠାଇ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।