
-
ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ପୋଲ ଲୋକଙ୍କ କାମରେ ଲାଗୁନି
ନୂଆପଡ଼ା, ଗ୍ରାମାଂଚଳର ଲୋକଙ୍କ ଗମନାଗମନ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ସହ ପୋଲ ନିର୍ମାଣ କରୁଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅଂଚଳପୁର-ଡୁଆଝର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ଢ଼ଙ୍କସର ନାଳ ଉପରେ ଦୀର୍ଘବର୍ଷ ହେବ ପୋଲ ନିର୍ମାଣ ହୋଇ ସାରିଥିଲେ ହେଁ ଦୁଇ ପାର୍ଶ୍ଵରେ ଏପ୍ରୋଚ ରାସ୍ତା ଏଯାଏଁ ନିର୍ମାଣ ହୋଇପାରିନଥିବାରୁ ସ୍ଥାନୀୟ ଲୋକମାନେ ଯିବାଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ପାଇଁ ସ୍ଥାନିୟ ଲୋକମାନେ ବାରମ୍ବାର ପ୍ରଶାସନକୁ ଜଣେଇ ଆସୁଛନ୍ତି । ହେଲେ ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ସ୍ଥାନିୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଢଙ୍କସର ଗାଁ ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁରେ ତିନି ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଏହି ଗାଁର ଲୋକମାନେ ମୁଖ୍ୟତଃ ଧାନ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ, ବିଡ଼ମ୍ବନାର ବିଷୟ ଯେ, ଢଙ୍କସର ଗାଁର ଅନ୍ୟ ପଟେ ସୁନ୍ଦର ନଦୀର ଏକ ଶାଖା ନାଲା ରହିଛି । ଢଙ୍କସର ନଦୀଟି ସୁନ୍ଦର ନଦୀର ଶାଖା ନାଳା ହୋଇଥିବାରୁ ବର୍ଷ ତମାମ ନାଳରେ ଜଳ ପ୍ରବାହିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଢ଼ଙ୍କସର ନାଲା ଉପରେ ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି । ହେଲେ ବ୍ରିଜର ଦୁଇପାର୍ଶ୍ଵରେ ଏପ୍ରୋଚ ରାସ୍ତା ଏଯାଏଁ ନିର୍ମାଣ ହୋଇପାରିନାହିଁ । ଯାହାଫଳରେ ବିପଦସଙ୍କୁଳ ଅବସ୍ଥାରେ ସ୍ଥାନିୟ ଲୋକମାନେ ବାଧ୍ୟ ହୋଇ ନାଳା ହୁଡ଼ା ଦେଇ କାଦୁଅ ସରସରରେ ସିବା ଆସିବା କରି ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ମାସରେ ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯାତାୟତ କରୁଥିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହିଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଏହିଠାକୁ ଗାଡିଟିଏ ଡାକିଲେ ମଧ୍ୟ ବର୍ଷା ମାସରେ ଗାଁକୁ ପହଂଚି ପାରେନାହିଁ । ବ୍ରିଜର ଦୁଇ ପାର୍ଶ୍ବରେ ରାସ୍ତା ନିର୍ମାଣ ପାଇଁ ସ୍ଥାନିୟ ଲୋକମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣେଇ ଆସୁଛନ୍ତି । ହେଲେ ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ସ୍ଥାନିୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛଛି । ଗତ ୩ ବର୍ଷ ତଳେ ଢଙ୍କସର ନାଳ ଉପରେ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତ୍ୟେକ୍ଷ ତତ୍ବାବଧାନରେ ସାର୍କା ଯୋଜନାରେ ୨ କୋଟି ୧୨ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟରେ ପୋଲ ନିର୍ମାଣ କାମ ଶେଷ ହୋଇ ସାରିଛି । ହେଲେ ଖଡ଼ିଆଳ ପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଜମି ଅଧିଗ୍ରହଣ ହୋଇ ପାରିନଥିବାରୁ ଏଯାଏଁ ପୋଲର ଉଭୟ ପାର୍ଶ୍ଵରେ ନୂତନ ରାସ୍ତା ନିର୍ମାଣ ହୋଇ ପାରିନଥିବା ସ୍ଥାନିୟ ଲୋକମାନେ ଅଭିଯୋଗ କରିଛି । ଏନେଇ ସ୍ଥାନିୟ ଲୋକମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣେଇବା ସହ ବ୍ରିଜ ର ଉଭୟ ପାର୍ଶ୍ଵରେ ତୁରନ୍ତ ନୂତନ ରାସ୍ତା ନିର୍ମାଣ କରିବାକୁ ଢ଼ଙ୍କସର ଗ୍ରାମବାସୀ ଦାବି କରିଛନ୍ତି ।
ଅପରପକ୍ଷେ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜମି ଅଧିଗ୍ରହଣ ହେବା ପରେ ଖୁବ୍ ଶିଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ।