ରାଉରକେଲା, ରାଉରକେଲା ଇସ୍ପାତ କାରଖାନାରେ ସୁରକ୍ଷାର ଅଭାବକୁ ନେଇ ଦୁର୍ଘଟଣା ପରେ ଦୁର୍ଘଟଣା ଘଟୁଛି । ମୃତ ଶ୍ରମିକର ପରିବାରକୁ କ୍ଷତିପୂରଣ ସାଙ୍ଗକୁ ଘଟଣାର ଯାଂଚ ଲାଗି ଲମ୍ବା ଚଉଡା କମିଟୀ ଗଠନ ହେଉଛି, ହେଲେ କମିଟୀ ସେହି ଦୁର୍ଘଟଣାରେ ଦାୟୀ କିଏ ସେ ନେଇ କଣ କାର୍ଯ୍ୟାନୁଷ୍ଠନ ଲାଗି ନିର୍ଦ୍ଦେଶ ଦେଲେ ସେ ରିପୋର୍ଟ ପଦାକୁ ଆସୁନି କିମ୍ବା କାହା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଲା ତାହା ଦର୍ଶା ଯାଉନାହିଁ ଓ ରାଉରକେଲା ପୁଲିସି ମଧ୍ୟ ଏନେଇ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛି ଓ ତାର ଆରଏସପି ପ୍ରେମକୁ ଅତୁଟ ରଖିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଗତ ବର୍ଷ ଜାନୁଆରୀ ୬ ତାରିଖରେ ହୋଇଥିବା ଦୁର୍ଘଟଣା ଓ ସେଥିରେ ମୃତ୍ୟୁବରଣ କରିଥିବା ୪ ଠିକା ଶ୍ରମିକଙ୍କ ମାମଲା । ବର୍ଷକ ଭିତରେ ଅନେକ ଦୁର୍ଘଟଣା ଘଟିଛି ଅନେକ ପଦାକୁ ଆସିଛି ଓ ଅନେକ ଆସିନାହିଁ । ହେଲେ ଆଜିଯାଏ ସେହି ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ହେଲା ସେ ନେଇ ଆରଏସପି, ରାଜ୍ୟ ସରକାରଙ୍କ କାରଖାନା ବିଭାଗ ଓ ସେ ସମୟରେ ହୋ ହଲ୍ଲା କରିଥିବା ବାବୁ ମାନେ ସମ୍ପୂର୍ଣ୍ଣ ନିରବ । ଠିକ୍ ବର୍ଷକ ପରେ ପୁଣି ଜାନୁଆରୀ ମାସରେ ଆଉ ଏକ ଦୁର୍ଘଟଣା ଘଟିଲା ସେଥିରେ ଜଣେ ଠିକା ଶ୍ରମିକ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ଗତକାଲି (୩୦-୧-୨୦୨୨) ସକାଳର କଥା । ଠିକା ଶ୍ରମିକ ଅମର ପଣ୍ଡା ଆରଏସପିକୁ କାମ କରିବାକୁ ଯାଇ ସୁରକ୍ଷାର ଅବହେଳା ଲାଗି ସିପିପି-୧ ରେ ଦୁର୍ଘଟଣାଗ୍ରସ୍ତ ହୋଇ ଆଉ ଘରକୁ ଫେରିନଥିଲେ । ଶେଷରେ ତାଙ୍କର ମୃତ୍ୟୁ ଖବର ଘରେ ପହଁଚିଥିଲା । ଦୁର୍ଘଟଣାରେ ଅନ୍ୟ ଜଣେ ଶ୍ରମିକ ମଧ୍ୟ ଆହତ ହୋଇଥିଲେ । ଏତିକି ବେଳେ ଶ୍ରମିକ ସଂଗଠନ ମାନେ ଲାଗି ପଡି ୧୫ ଲକ୍ଷ ଯାଗାରେ ମାତ୍ର ୩ଲକ୍ଷ କ୍ଷତିପୁରଣ ଠିକାଦାରଙ୍କ ଠାରୁ କରାଇଥିବା ବେଳେ ସେ ଟଙ୍କା ମୃତ ଶ୍ରମିକଙ୍କ ପତ୍ନୀଙ୍କର ହସ୍ତଗତ ହୋଇଛି କି ନାହିଁ ତାହା ଅନ୍ଧାରରେ ରହିଛି । ସେପଟେ ଆରଏସପିରୁ ମୃତକଙ୍କ ପତ୍ନୀକୁ ଚାକିରୀର ସୁଯୋଗ ଲାଗି ଚିଠି ଯାଇଛି ବୋଲି କୁହାଯାଇଛି ଓ ଘଟଣାର ତଦନ୍ତ ହେବ ବୋଲି କୁହାଗଲା । ଆଜିଯାଏ ଯେତିକି ଦୁର୍ଘଟଣା ହେଲାଣି ସେ ସବୁ ଘଟଣାର ତଦନ୍ତ ରିପୋର୍ଟ ଆଗ ଆରଏସପି ଦେବା ସହ କାହା ବିରୋଧରେ କି ପ୍ରକାର ପଦକ୍ଷେପ ନିଆଗଲା ତାହା ଜଣାଇବା ପରେ ଗତକାଲିର ମାମଲା ଲାଗି ତଦନ୍ତ କମିଟୀ ହେଲା କହିଲେ ଶୋଭାପାଇବ ବୋଲି ମତପ୍ରକାଶ ପାଇଛି । ନଚେତ କୁହାଜିବ ଏଠାକାର ଲୋକଙ୍କୁ ଭଲରକମର ଭକୁଆ ବନାଉଛି ଆରଏସପି । ସେଥିରେ ସହଯୋଗକାରୀ ମାନେ ହେଉଛନ୍ତି କିଛି ଶ୍ରମିକ ସଂଗଠନ ।
ରାଜ୍ୟ ସରକାରଙ୍କର କାରଖାନା ଆଇନ ଅନୁଶାରେ, ପ୍ରତି ଦୁର୍ଘଟଣା ଲାଗି ସେହି କାରଖାନା ଲାଗି ଲାଇସେନ୍ସ ନେଇଥିବା ଅଧିକାରୀ କିମ୍ବା ଅକୁପାୟରଙ୍କ ନାମରେ ମାମଲା ହେବା କଥା, ପୁଲିସ ମଧ୍ୟ ତଦନ୍ତ ପରେ ସେହି ଅଧିକାରୀଙ୍କ ନାମରେ ହତ୍ୟା ମାମଲାରୁ ରୁଜୁ କରି ଗିରଫ କରିବା କଥା (ଯାହାକି ଅନ୍ୟାନ୍ୟ ଦୁର୍ଘଟଣାରେ ପୁଲିସ କରୁଛି ) କିନ୍ତୁ ତାହାର ଫଳ ଆରଏସପି କ୍ଷେତ୍ରରେ ବିଗ୍ ଜିରୋ । କୁହାଯାଏ ଆରଏସପି କୁଆଡେ ସମସ୍ତଙ୍କର ସେବାରେ ରହିଛି, ତେଣୁ ସାଧାରଣ ଗରୀବ ଠିକା ଶ୍ରମିକଙ୍କ ଲାଗି ବଡ ଅଫିସରଙ୍କ ନାମରେ ମାମଲା ହେବ କାହିଁକି ? କଣ ସେମାନଙ୍କର ଜୀବନର ମୂଲ୍ୟ ରହିଛି ? ଟଙ୍କା ୨/୪ ଲକ୍ଷ ଦେଇଦେଲେ ସବୁ ଚୁପ୍ ? ଯାହା ଗତକାଲି ଘୋଷଣା ହେଲା ଓ ଅତିତରେ ମଧ୍ୟ ହୋଇଛି । ଆରଏସପି ଇତିହାସରେ ଆଜିଯାଏ ଯେତିକି ଦୁର୍ଘଟଣା ହେଲାଣି ସଠିକ୍ କାରଖାନା ନିୟମ ଓ ପୁଲିସର ଆଇପିସି ଅନୁଶାରେ ଗୋଟାଏ ହେଲେ ମାମଲା ରୁଜ୍ଜୁ ହୋଇନାହିଁ କିମ୍ବା ଘଟଣାରେ କାହାରିକୁ ଗିରଫ ମଧ୍ୟ କରାଯାଇନାହିଁ ।