-
୧୨୬୫ ଲିଟର ଦେଶି ମଦ ଜବତ : ୨୩ ଗିରଫ
ଗଞ୍ଜାମ, ଆଗାମୀ ପଚାଂୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ ଚାଲିଛି । ନିର୍ବାଚନ ସମୟରେ ବହୁଳ ମାତ୍ରାରେ ଚୋରାମଦ ବିକ୍ରୀ ହେବା ସହ ମଦକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜିଲ୍ଲା ଅବକାରୀ ବିଭାଗ ଏନେଇ ତତ୍ପର ହୋଇଉଠିଛି । ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଭଞ୍ଜନଗର, ସୋରଡ଼ା, ବୁଗୁଡ଼ା ଓ ଖଲ୍ଲିକୋଟ ଅବକାରୀ ଥାନା ଇଲାକା ସମେତ ଆସିକା ନିକଟ କାଳଷଣ୍ଢପୁର, ଜଗନ୍ନାଥପଲ୍ଲୀ, ପାକଲାପଲ୍ଲୀ, ଠେଙ୍ଗାପଲ୍ଲୀ, ଗଣ୍ଡାପଲ୍ଲୀ, ସନ୍ତୋଷୀ ମା ଏରଗୋଲା ବସ୍ତି ଏବଂ ହିଞ୍ଜିଳିକାଟୁର ଚାନ୍ଦୁଲି ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ମୋଟ୍ ୧୨୬୫ ଲିଟର ଦେଶି ମଦ ଜବତ ସହ ୧୩ ଶହ ଲିଟର ୩୩୫ ମି.ମି. ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯାଇଛି । ୬୭.୫ ଲିଟର ପାଉଚ୍ ମଦ ଜବତ ସହ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଅତିରିକ୍ତ ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଜବତ ମଦର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୬ ହଜାର ହେବ ବୋଲି ସୂଚନା ମିଳିଛି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ଉରେ ଛତ୍ରପୁର ଷ୍ଟ୍ରାଇକିଂ ଫୋର୍ସ ସହ ଆସିକା, ଭଞ୍ଜନଗର, ସୋରଡ଼ା ଓ ଖଲ୍ଲିକୋଟ ଅବକାରୀ ଅଧିକାରୀ ଏବଂ କର୍ମଚାରୀ ସାମିଲ୍ ହୋଇଥିଲେ । ଆଗାମୀ ଦିନରେ ମଧ୍ୟ ବେଆଇନ ମଦ ବିକ୍ରୀ ଉପରେ ଚଢ଼ଉକୁ ଜୋରଦାର୍ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।