
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉପନିବନ୍ଧକ ମନୋଜ କୁମାର ମହାନ୍ତି ଯୋଗଦାନ କରି ଓଡ଼ିଆ ଭାଷାର ମହତ୍ଵ ଓ ମଧୁସୂଦନ ରାଓଙ୍କ ଓଡ଼ିଆ ଭାଷା ପ୍ରତି ଅବଦାନ ସଂପର୍କରେ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ବାଇଁ ଦିବସର ତାତ୍ପର୍ଯ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ସହ ବ୍ୟାପକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ ତପନ କୁମାର ବେହେରା ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟର ବର୍ଣ୍ଣବୋଧ ସମ୍ପର୍କରେ ସୁରଚିତ ମତାମତ ଦେବା ସହ ଯୋଗଜନ୍ମା କବି ମଧୁସୂଦନ ରାଓଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ନମିତା ଦଣ୍ଡସେନା, ଲକ୍ଷ୍ମୀ କୁଜୁର, ଡ.ଗୋକୁଳାନନ୍ଦ ପାତ୍ର, ପ୍ରମିୟ ମହାନ୍ତି, ଜିମୁତ ନାୟକ, ଗୌତମ ନାୟକ, ମାନଭଞ୍ଜନ ବେହେରା, ଜିଶୋର ତ୍ରିପାଠୀ, ଦିଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।