
ଆର.ଉଦୟଗିରି, ଗଜପତି ଜିଲା ଆର.ଉଦୟଗିରି ଠାରୁ ମୋହନା ରାସ୍ତାକୁ ଦୀର୍ଘ ୮ ବର୍ଷ ତଳେ ପୂର୍ତ ବିଭାଗ ଦ୍ବାରା ନିର୍ମାଣ କରାଯାଇଥିଲା । ରାସ୍ତାଟି ରାଜ୍ୟ ରାଜପଥ ୩୨୬ (ଏ) ରୂପେ ଘୋଷଣା ହେବାପରେ ୨୦୧୬ରେ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା । ଆଜି ପର୍ଯ୍ୟନ୍ତ ଆର.ଉଦୟଗିରି ଶଙ୍କନଦୀ ନିକଟରେ ପୋଲ ସମ୍ମୁଖରେ ଥିବା ବଡ ଖାଲ ମରାମତି ହୋଇ ପାରିଲାନି । ସେହିପରି ଚାନ୍ଦିପୁଟ – ହାଟପଦା ନିକଟରେ ଥିବା ପୋଲ ଏବଂ ମାଣିକପୁର ନିକଟରେ ମଧ୍ୟ ଏକ ବଡ ଗର୍ତ ରହିଛି । ଚାନ୍ଦିପୁଟ ଓ ମାଣିକପୁର ଠାରେ ଦୁର୍ଘଟଣା ଘଟିବା ପରେ ପଥର ଗୁଣ୍ଡ ପକାଇ କାମ ଚଳା ଯାଇଛି । ଅଦିନିଆ ବର୍ଷାରେ ତାହା ଧୋଇ ହୋଇଯାଇଛି ।
ସେହିପରି ମୋହନା – ଲେଡେବନ୍ଧ ପୋଲ ନିକଟରେ ବିରାଟ ବଡ ଖାଲ ହୋଇ ଯାଇଛି । ଏଠାରେ ବାରମ୍ବାର ଦୁର୍ଘଟଣାର ଶୀକାର ହେଉଛନ୍ତି ଲୋକେ । ମୋହନା ଠାରୁ ଆର.ଉଦୟଗିରି ୪୭ କି.ମି. । କିନ୍ତୁ, ମୋଟର ସାଇକେଲ ଓ ବସ୍ ରେ ଦୁଇ ଘଣ୍ଟାରୁ ତିନି ଘଣ୍ଟା ସମୟ ଲାଗୁଛି । ଏହି ରାସ୍ତାରେ ୩ ଶହରୁ ଉର୍ଦ୍ଧ୍ବ ଖାଲଖମା ରହିଛି । ଏହି ରାସ୍ତା ଦେଇ ବିଭାଗୀୟ ଯନ୍ତ୍ରୀ, ଜନ ପ୍ରତିନିଧି ଏବଂ ପଦାଧିକାରୀ ଯାତାୟାତ କରୁଛନ୍ତି । ତଥାପି ଏହାର ପୁନରୁଦ୍ଧାର କଥା ଚିନ୍ତା କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ରାସ୍ତା ଉପରେ ଲକ୍ଷ ଲକ୍ଷ ଟଙ୍କାର ଟିକସ ଆଦାୟ ହେଉଛି । ଦୀର୍ଘ ବର୍ଷ ହେବ ରାସ୍ତାର ଦୁଇ ପାଖରେ ଲଟାବୁଦା ସଫା କରାଯାଉନି ଯାହାଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି । ଆର.ଉଦୟଗିରିରୁ ଖଜୁରିପଦା ରାସ୍ତାରେ ବାଦପୁର ଘଟିରେ ରାସ୍ତା ଅତି କଦର୍ଯ୍ୟ ହୋଇଥିବା ବିଷୟ ନେଇ ଯନ୍ତ୍ରୀ ବହୁବାର ଜଣାଇଲେ ମଧ୍ୟ କାମ ଶୂନ । ପ୍ରତିବର୍ଷ ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କାର କାମ କାଗଜପତ୍ରରେ କରାଯାଉଛି । ଆର.ଉଦୟଗିରି ଆଇସିଡିଏସ ଅଫିସରୁ ରାସ୍ତାର ଦୁଇ ପାର୍ଶ୍ବରେ ସାଇଡ ଡ୍ରେନ ନଥିବାରୁ ସାମାନ୍ୟ ବର୍ଷା ହେଲେ ଗ୍ରାମର ସମସ୍ତ ଅଳିଆ ରାସ୍ତା ଉପରେ ଭାସୁଛି ତାହାସହ ରାସ୍ତାରେ ଆଣ୍ଠୁଏ ଉଚ୍ଚତାରେ ପାଣି ଜମି ଯାଉଛି ଯାହାଫଳରେ ଲୋକେ ଯାତାୟତ କରିବା ଭାରି ଅସୁବିଧା ହେଉଛି । ଆର. ଉଦୟଗିରି ସଙ୍କନଦୀ ପୋଲ ଉପରେ ଆଣ୍ଠୁଏ ଉପରେ ପାଣି ରହୁଛି । ଏଠାରେ ନିଯୁକ୍ତ ହୋଇଥିବା ସହକାରୀ ଓ କନିଷ୍ଠ ଯନ୍ତ୍ରୀ ଆର.ଉଦୟଗିରିରେ ନ ରହି ସେମାନେ ପାରଳାଖେମଣ୍ଡିରେ ରହୁଛନ୍ତି । ଜାତୀୟ ରାଜପଥ ୩୨୬କୁ ମରାମତି କରାନଗଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଧନଞ୍ଜୟ ହଂସବର୍ଦ୍ଧନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ମୋହନାରୁ ଚଞ୍ଚାଘାଟି ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ୧୫ କୋଟି ଆସିଛି ଏବେ ଏହି ରାସ୍ତା ସଫାକାମ ଚାଲିଛି । ଚଞ୍ଚାଘାଟିରୁ ହାତିବାଡି ରାସ୍ତା କାମ ପାଇଁ ଆମେ ସେଣ୍ଟରକୁ ଏଷ୍ଟିମେଂଟ ପଠାଇଛୁ, ଟଙ୍କା ଆସିଲେ କାମ ହେବ ।