
ରାଉରକେଲା, ଆଜି ସକାଳେ ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ୨୦୨୨ରେ ଏହା ଆରଏସପିରେ ପ୍ରଥମ ଦୁର୍ଘଟଣାଜନିତ ମୃତ୍ୟୁ । ମୃତକ ହେଲେ ଅମର ପଣ୍ଡା (୪୩) । ସେ ରାଉରକେଲାର ଗୋଲଘର ଅଂଚଳରେ ରହୁଥିଲେ । ତାଙ୍କର ପିଲା ଛୁଆ କେହି ନଥିବା ବେଳେ ଘରେ ତାଙ୍କର ପତ୍ନୀ ରହିଥିବା ଜଣାପଡିଛି । ବ୍ରହ୍ମପୁର ଅଂଚଳରୁ ଆସି ସେ ଏଠାରେ ଠିକାଦାର ପାଖରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଆଜି ସକାଳ ପ୍ରାୟ ୧୦ଟା ବେଳେ କାରଖାନାର ସିପି ୧ରେ କାମ କରୁଥିବା ବେଳେ ସୁରକ୍ଷା ଅଭାବରୁ ତାଙ୍କ ଉପରେ ବହୁ ପରିମାଣର ସାମଗ୍ରୀ ଓଜାଡି ହୋଇ ପଡିବାରୁ ସେଥିରେ ସେ ଚାପି ହୋଇ ମୃତ୍ୟୁବରଣ କରିଥିବା ନେଇ କୁହାଯାଉଛି । ତେବେ ତାଙ୍କ ମୃତ୍ୟୁପରେ ରାଉରକେଲା ଇସ୍ପାତ କାରଖାନାରେ ଥିବା ଶ୍ରମିକ ସଂଗଠନ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରମିକ ଜଣକ କାହାର ଭୁଲ୍ ଲାଗି ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କଲେ ସେ ନେଇ ଉଠିଛି ପ୍ରଶ୍ନ । ରାଉରକେଲା ଇସ୍ପାତ କାରଖାନାରେ ଯେତେବେଳେ ଦୁର୍ଘଟଣା ହୁଏ ସେ ନେଇ ପୁଲିସ କିମ୍ବା କାରଖାନା ବିଭାଗ ମାମଲା ରୁଜୁ କରି କର୍ତୁପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏକ ଇତିହାସ ହୋଇ ରହିଛି । ଆଜି ଯାଏ କାରଖାନା ନିୟମ ଅନୁଶାରେ ଦୁର୍ଘଟଣାକୁ ନେଇ ମାମଲା ରୁଜୁ ନହେବା କାରଖାନା ଦାୟିତ୍ୱରେ ଥିବା ବାବୁଙ୍କ ବିରୋଧରେ ମାମଲା ନହେବା ପୁଲିସ ମାମଲା ରୁଜୁ କରି ଗିରଫ ନକରିବା ଯୋଗୁ ଏହିଭଳି ଖାମଖିଆଲ ସୁରକ୍ଷାକୁ ନେଇ ଅକାରଣରେ ଠିକା ଶ୍ରମିକ ମାନଙ୍କର ଜୀବନ ଚାଲିଯାଉଛି । ନିକଟ ଅତିତରେ ୪ ଜଣ ଠିକା ଶ୍ରମିକ ଏକାଥରେ ଗ୍ୟାସରେ ପୋଡି ହୋଇ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିବା ମାମଲାରେ ଆଜିଯାଏ ପୁଲିସ କାହା ବିରୋଧରେ ମାମଲା ରୁଜୁ କରିନଥିବା ବେଳେ ଗିରଫ ମଧ୍ୟ କରିନାହିଁ । ଦୁର୍ଘଟଣା ଘଟି ମୃତ୍ୟୁବରଣ ପରେ ଶ୍ରମିକର ପରିବାରକୁ କ୍ଷତିପୁରଣ କିଭଳି ମିଳିବ ସେନେଇ ସମସ୍ତେ ତତ୍ପର ହୁଅନ୍ତି, ତାର ପରିବାରର ଜଣକୁ କିଭଳି ଚାକିରୀ ମିଳିବ ସେନେଇ ମଧ୍ୟ ଶ୍ରମିକ ସଂଗଠନ ମାନେ ଦାବି କରିଥାନ୍ତି ଘଟଣାର ତଦନ୍ତ ଲାଗି ଦାବି କରନ୍ତି ହେଲେ ଏନେଇ ଆଜିଯାଏ ଅଦାଲତଙ୍କ ନିକଟରେ ଆରଏସପି ଦୁର୍ଘଟଣାକୁ ନେଇ ଶ୍ରମିକ ସଂଗଠନ ମାନେ ମାମଲା ଟିଏ କରିଥିବା ଦେଖାଯାଇନାହିଁ । ଆଜିର ଏହି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପତ୍ନୀଙ୍କୁ ଚାକିରୀ ସହ ୧୨ଲକ୍ଷ ଟଙ୍କା ଓ ପିଏଫ ଇଏସଆଇରୁ ପେନସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଶ୍ରମିକ ନେତା ରମେଶ ସାହୁ ଓ ତାଙ୍କ ସମର୍ଥକ ମାନେ ମୃତ ଶ୍ରମିକଙ୍କ ପରିବାରକୁ ଉଚିତ କ୍ଷତିପୁରଣ ସମେତ ଚାକିରୀ ଲାଗି ଓ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ।