ଭୁବନେଶ୍ୱର, ବିଧାନସଭା ପରିସରରେ ରବିବାର ପୂର୍ବାହ୍ନରେ ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଧାନସଭାର ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଗଣ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ବୈଷ୍ଣବ ଜନ ତୋ’ ପରିବେଷଣ କରିଥିଲେ । ପୋଲିସବାହିନୀ ଦ୍ୱାରା ବୀର ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ତୋପଧ୍ୱନି, ଦୁଇ ମିନିଟ୍ ନୀରବ ପ୍ରାର୍ଥନା, ନୀରବ ପ୍ରାର୍ଥନା ସମାପ୍ତିର ସଙ୍କେତ ସ୍ୱରୂପ ଦ୍ୱିତୀୟବାର ତୋପଧ୍ୱନି କରାଯାଇଥିଲା । ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ରାମଧୂନ ପରିବେଷଣ ଓ ଜାତୀୟ ସଂଗୀତ ବାଦନ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ସମସ୍ତ ଅତିଥି ବିଧାନସଭା ପରିସରରୁ ପ୍ରସ୍ଥାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଂଟିଆ ଓ ଅନ୍ୟ ଅଧିକାରୀବୃନ୍ଦ, ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ସହକରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।