
ହରିଚନ୍ଦନପୁର – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ହାଟପଡିଆରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଖବର ଅନୁଯାୟୀ, ମୃତ ଯୁବକ ଜଣକ ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମର ସ୍ବର୍ଗତ ରାହାସ ମୁଣ୍ଡାଙ୍କ ବଡପୁଅ ଶରତ ମୁଣ୍ଡା (୩୦) ବୋଲି ଜଣାପଡ଼ିଛି । ରବିବାର ଦିନ କୌଣସି କାମରେ ସେ ହରିଚନ୍ଦନପୁର ଆସିଥିଲେ, ବିଳମ୍ବ ସହ ଦେହ ଅସୁସ୍ଥ କାରଣରୁ ହାଟପଡିଆରେ ବିଶ୍ରାମ ନେଉଥିଲେ । ସେଠାରେ ତାଙ୍କର ରକ୍ତବାନ୍ତି ହୋଇଥିଲା, ପରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।
ପରିବାର ଲୋକଙ୍କ କହିବା ଅନୁସାରେ, ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା । ସୋମବାର ସକାଳ ସମୟରେ ହାଟପଡିଆରେ ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ପକେଟରୁ ମିଳିଥିବା ମୋବାଇଲ ନଂ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ । ଏଥିସହ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।