
ଭୁବନେଶ୍ୱର, ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଂଟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡ଼ିଛି ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ଅଛି । ଯେହେତୁ ଡେଲ୍ଟା ଭରିଆଂଟ ଅଧିକ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ବୋଲି ସୂଚନା ଦେଇଛନ୍ତି ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି, ନିଜକୁ ବିପଦମୁକ୍ତ କରି ରଖନ୍ତୁ । ଏହାର ଉପାୟ ହେଉଛି, ଯେଉଁମାନେ ଟିକା ନେଇନାହାନ୍ତି, ଟିକା ନିଅନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ । ଆମେ ଯେଉଁଭଳି ଭାବରେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା । ଅପରପକ୍ଷରେ ନିଓକୋଭର ଯେଉଁ ଭାରିଆଂଟ ବାହାରିଛି, ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ । ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତାକୁ ଅପେକ୍ଷା କରିବା ।
ବର୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ କମିଚାଲିଛି । ରାଜ୍ୟର କେଉଁ ଅଂଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ । ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରି କଟକଣା କୋହଳ ନେଇ ନିଷ୍ପତି ନିଆଯିବ ।