
-
ନିଜକୁ ଅନ୍ୟ ଭିତରେ ଅନୁଭବିବା ହିଁ ଆଧ୍ୟାତ୍ମିକତା : ରାଜ୍ୟପାଳ
ଭୁବନେଶ୍ୱର, ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ଅଂଶବିଶେଷ ଏବଂ ଏହି ଚେତନାର ବ୍ୟାପକ ପ୍ରସାର ହେବା ଦରକାର । ନିଜକୁ ଅନ୍ୟ ଭିତରେ ଅନୁଭବ କରିବା ହିଁ ଆଧ୍ୟାତ୍ମିକତା । ଅନ୍ୟର ସେବାରେ ଯେଉଁ ଆନନ୍ଦ ମିଳେ ତା’ର ବିକଳ୍ପ ନାହିଁ । ଜନତାର ସେବା ହିଁ ଜଗନ୍ନାଥଙ୍କ ସେବା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଶୁକ୍ରବାର ରାଜଭବନରେ ଚାଇଲ୍ଡ ଆଣ୍ଡ ଉଇମେନ୍ ଡେଭଲପ୍ମେଂଟ ସୋସାଇଟିର ଲୋଗୋକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଲୋକସେବାକୁ ଈଶ୍ୱରଙ୍କ ଶ୍ରେଷ୍ଠ ଅର୍ଚ୍ଚନା ଭାବରେ ଅଭିହିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗଙ୍କ ଉନ୍ନତିକଳ୍ପେ ସମର୍ପିତ ପ୍ରୋଜେକ୍ଟ ଦେବଦତକୁ ଲୋକାର୍ପଣ କରି ରାଜ୍ୟପାଳ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।
ଅନୁଷ୍ଠାନର ମୁଖ୍ୟ ପ୍ରଫେସର କଳ୍ପନା ଦାସ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ରାଜଭବନର ଅଧିକାରୀଙ୍କ ସମେତ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।