
ଭୁବନେଶ୍ୱର, କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ କୋଭିଡ ସଂକ୍ରମଣ ବର୍ତମାନ କମିବା ଅବସ୍ଥାରେ ଅଛି । କିନ୍ତୁ ପୂରା ତଳକୁ ଆସିନାହିଁ । ଦ୍ୱିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ୍ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ସେ ଆହୁରି କହିଛନ୍ତି କି ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କରୋନା ସଂକ୍ରମଣ ବର୍ତମାନ ତଳମୁହାଁ ରହିଛି । ଗ୍ରାଫ ତଳକୁ ପହଂଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡାର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତି ନିଆଯିବ । ଏପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ ତଳକୁ ଆସିନାହିଁ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ।
ପ୍ରଥମ ଡୋଜ ଟିକା ଲାଗି ରାଜ୍ୟରେ ଏବେ ବି ୨୧ ଲକ୍ଷ ଲୋକ ବାକି ଅଛନ୍ତି । ସମସ୍ତ ଜିଲ୍ଲାଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି, ସେ ତଥ୍ୟ ଦେବେ ।ଏହାପରେ ସବୁ ଲୋକଙ୍କ ଟିକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।