-
ଉତ୍ୟେକ୍ତ ଲୋକଙ୍କ ରାଜପଥ ଅବରୋଧ
ଖୋର୍ଦ୍ଧା, ୧୬ ନଂ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଧକ୍କାରେ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚଣ୍ଡେଶ୍ୱର ଗ୍ରାମ ଇନ୍ଦିରା କଲୋନୀର କୁବେର ନାୟକ (୫୦) । ସୂଚନା ମୁତାବକ, କୁବେର ନାୟକ ମୋଟର ସାଇକେଲ ଯୋଗେ ପେଟ୍ରୋଲ ପମ୍ପ ଠାରୁ ଓମଫେଡ୍ କମ୍ପାନୀ ନିକଟକୁ ଯିବା ପାଇଁ ରାସ୍ତା ଅତିକ୍ରମ କରୁଥିଲେ । ହେଲେ ଭୁବନେଶ୍ୱରରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ଏକ ଆମ୍ବୁଲାନ୍ସ କୁବେରଙ୍କୁ୧୬ ନଂ ଜାତୀୟ ରାଜପଥର ଚଣ୍ଡେଶ୍ୱର ନିକଟରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଉତ୍ୟେକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ଦାବିରେ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଫଳରେ ସମ୍ପୃକ୍ତ ରୁଟ୍ ରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା । ଖବର ପାଇ କୁହଡ଼ି ଫାଣ୍ଡି ଅଧିକାରୀ ଓ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଜବତ କରିବା ସହ ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଜାତୀୟ ରାଜପଥରୁ ଅବରୋଧ ହଟିଥିଲା ।