କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଦିର୍ଘ ୩୫ ଦିନ ପରେ ଦୁଇ ଅଙ୍କ ତଳକୁ ଖସି ଆସିଛି ତାପମାତ୍ରା । ଆଜି ଜିଲ୍ଲା ସଦର ମହକୁମା ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ଏବଂ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୬.୫ ଡିଗ୍ରୀ ରହିଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜ଼ିଲ୍ଲାରେ କିଛି ଦିନ ଧରି ଲଘୁଚାପ ଓ ବର୍ଷା କାରଣରୁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଫଳରେ ଶୀତ ମଧ୍ୟ କମ୍ ଅନୁଭୁତ ହେଉଥିଲା । ଆଜି ହଠାତ୍ ଦିର୍ଘ ଦିନ ପରେ ତାପମାତ୍ରା ଦୁଇ ଅଙ୍କ ତଳକୁ ଓହ୍ଲାଇଲା ଆସିବା ଯୋଗୁଁ ଫୁଲବାଣୀ ସମେତ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ, ଘୁ.ଉଦୟଗିରି,ଫିରିଙ୍ଗିଆ, ତୁମୁଡ଼ିବନ୍ଧ, ବେଲଘର ଆଦି ବ୍ଲକର ଆଭ୍ୟନ୍ତରୀଣ ଅଂଚଳରେ ଭୀଷଣ ଶୀତ ଅନୁଭୁତ ହେଉଛି । ଏହା ସହିତ ଅଧିକାଂଶ ଅଂଚଳରେ ଘନ କୁହୁଡ଼ିର ଆଚ୍ଛାଦନ ଯୋଗୁଁ ସୂର୍ଯ୍ୟ କିରଣ ସକାଳ ୧୦ ଟା ପର୍ଯ୍ୟନ୍ତ ଦେଖାଯାଉ ନାହିଁ । ଶୀତର ପ୍ରଭାବରେ ଲୋକଙ୍କ ଦୈନଦୀନ ଜୀବନ ପ୍ରଭାବିତ ହୋଇଛି । ଏହି ପାଗକୁ ଯୁବ ପିଢି ଓ ପ୍ରାତଃ ସମୟରେ ଖେଳକୁଦ କରୁଥିବା ଲୋକେ ଖୁବ୍ ଭଲ ଭାବରେ ଉପଭୋଗ କରୁଛନ୍ତି । ଆଗକୁ ଏହିଭଳି ଶୀତ କିଛିଦିନ ଅନୁଭୁତ ହେବା ସହିତ ଘନ କୁହୁଡ଼ି ମଧ୍ୟ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।