ଚଣ୍ଡିଗଡ଼, ଶୁକ୍ରବାର ସକାଳେ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନୀ ଚୋରା ଚାଲାଣକାରୀ ଏବଂ ବିଏସଏଫ ମଧ୍ୟରେ ହୋଇଥିବା ଏନକାଉଂଟରରେ ଜଣେ ଯବାନ ଆହତ ହୋଇଛନ୍ତି । ସର୍ଚ୍ଚ ଅପରେସନ୍ ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣର ହେରୋଇନ୍ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣା ପଡିଛି ।
ସୂଚନାନୁସାରେ, ଶୁକ୍ରବାର ପୂର୍ବାହ୍ନରେ ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ଅଂଚଳ ଅଧୀନରେ ଆସୁଥିବା ଚାନ୍ଦୁ ୱାଡାଲା ପୋଷ୍ଟ ନିକଟରେ ଥିବା ସେନା ଜବାନ ମାନେ ସେମାନଙ୍କର ଗତିବିଧି ଦେଖିବା ପରେ ଆଲର୍ଟ ଜାରୀ କରିବା ସହ ତଲାଶୀ ଅଭିଯାନ ଆରମ୍ଭ କରିଥିଲେ ।ସେତେବେଳେ କିଛି ଲୋକ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ସେଠାରେ ପୋଷ୍ଟ ହୋଇଥିବା ବିଏସ୍ଏଫ୍ କର୍ମଚାରୀ ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାକୁ କହିଥିଲେ କିନ୍ତୁ ଅନୁପ୍ରବେଶକାରୀମାନେ ଗୁଳି ଚଳାଇଥିଲେ । ଯାହା ପରେ ଏନକାଉଂଟର ଆରମ୍ଭ ହୋଇଥିଲା ।
ଘଟଣାସ୍ଥଳରୁ ପ୍ରାୟ ୪୭ କିଲୋଗ୍ରାମ ହେରୋଇନ୍, ପିସ୍ତଲ ଏବଂ କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି । ପ୍ରାଥମିକ ଅନୁସନ୍ଧାନରେ ଏହା ବିଏସ୍ଏଫ୍ ଯବାନଙ୍କ ଉପରକୁ ଗୁଳି ଚଳାଇଥିବା ଡ୍ରଗ୍ସ ବେପାରୀ ବୋଲି ଜଣାପଡିଛି, ଯଦିଓ ଏହାର ବିସ୍ତୃତ ଅନୁସନ୍ଧାନ ଚାଲିଛି । ବିଏସଏଫ ଏବଂ ପୋଲିସ ଦଳ ଆଖପାଖ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।