ବଲାଙ୍ଗିର, ଟିଟିଲାଗଡ଼ – କଣ୍ଟାବାଞ୍ଜି ରେଳ ଧାରଣାର ରହେନଭଟା ଠାରୁ ଦୁଇ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ଜିଆରପି ଗତକାଲି ଉଦ୍ଧାର କରିଥିଲା । ତେବେ ଯାତ୍ରୀମାନଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ମୃତ ଦୁଇ ଯୁବକଙ୍କ ପରିଚୟ ମିଳିଥିବା ବେଳେ ଜଣକର ନାମ ହେମନ୍ତ ଖରସେଲ ( ୩ଠ) । ସେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳ ଓ ଅନ୍ୟ ଜଣକ ହେଲେ ମହେନ୍ଦ୍ର ଧାରୁଆ (୨୨) କଦଲି ଗାଁ ବେଲପଡା ବ୍ଲକ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି ।
ଏଠାରେ ସୂଚନାଯୋଗ୍ୟ ଯେ, କଦଲୀ ଗାଁର ମହେନ୍ଦ୍ର ଧାରୁଆ ପେଟପଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଇ ଲିଙ୍କ୍ ଏକ୍ସପ୍ରେସରେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ବିଜୟନଗରମ ଅଭିମୁଖେ ଯାତ୍ରା କରୁଥିବା ବେଳେ ଟିଟିଲାଗଡ଼ ନିକଟସ୍ଥ ବେଳପଦର ଗାଁ ନିକଟସ୍ଥ ରେଳ ଧାରଣା କଡ଼ରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେହି ସମାନ ସ୍ଥାନରେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ଜଣେ ଯୁବକର ମୃତଦେହ ମଧ୍ୟ ଉଦ୍ଧାର ହେବା ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣିଛି । ଜିଆରପି ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରି ତଦନ୍ତ ପରିସରରକୁ ଆହୁରି ବ୍ୟାପକ କରିଛି । ଶବ ଗୁଡିକର ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ତେବେ ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ – କଣ୍ଟାବାଞ୍ଜି ରେଳ ଧାରଣା କଡ଼ରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରବର୍ତୀ ସମୟରେ ତାହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ପର୍ଦ୍ଦାଫାଶ କରିଥିଲା । ତେବେ ଏହି ଘଟଣା ଦୁର୍ଘଟଣା ନା ହତ୍ୟାକାଣ୍ଡ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।