-
ଅପ୍ରେଲ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଟ୍ରେନ୍ ରେ ସ୍ଲିପର ବର୍ଥ ଖାଲି ନାହିଁ
ଗଞ୍ଜାମ, ପଚାଂୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ବଡ ଅସ୍ତ୍ର ହେଉଛନ୍ତି ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ । ଏହି ଭୋଟ୍ କୁ ହାତେଇବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳର ପ୍ରାର୍ଥୀ ଉଦ୍ୟମ ଚଳାଇଛନ୍ତି । ନେତା ମାନେ ଭୋଟ୍ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଗାଁ କୁ ଆସିବାକୁ ବହୁ ପୂର୍ବରୁ ନିମନ୍ତ୍ରଣ କରି ସାରିଛନ୍ତି । ଅଗ୍ରୀମ ଟିକେଟ୍ ଖର୍ଚ୍ଚ ମଧ୍ୟ ଦେଇ ସାରିଛନ୍ତି । ଫଳରେ ଏବେ ଶହ ଶହ ସଂଖ୍ୟାରେ ପ୍ରବାସୀ ଗାଁ ମୁହାଁ ହୋଇଛନ୍ତି । ଏବେ ଟ୍ରେନ୍ ରେ ଟିକେଟ୍ ମିଳିବା ମଧ୍ୟ କଷ୍ଟକର ବ୍ୟାପାର ହୋଇପଡିଛି । ଗଞ୍ଜାମ ଜିଲ୍ଲାର ଅଧିକାଂଶ ପ୍ରବାସୀ ଶ୍ରମିକ ସୁରତରେ କାମ କରୁଛନ୍ତି । ତେଣୁ ସୁରତରୁ ଆସୁଥିବା ଟ୍ରେନ୍ ଗୁଡିକରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳୁଛି । ହଜାର ହଜାର ସଂଖ୍ୟାରେ ପ୍ରବାସୀ ପିଲାଛୁଆ ଧରି ଫେରିବା ଅପେକ୍ଷାରେ ରହିଛନ୍ତି । ତେବେ ଆସନ୍ତା ପ୍ରାୟ ୩ ମାସ ପର୍ଯ୍ୟନ୍ତ ସୁରତରୁ ବ୍ରହ୍ମପୁର ଆସୁଥିବା ଟ୍ରେନ୍ ରେ ସ୍ଲିପର ବର୍ଥ ଆଦୌ ଖାଲି ନାହିଁ । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନେତା । ପ୍ରବାସୀଙ୍କୁ କେମିତି ଘରକୁ ଅଣାଯାଇପାରିବ ସେନେଇ ନେତାମାନେ ତାଙ୍କର ଉଦ୍ୟମ ଜାରୀ ରଖିଛନ୍ତି । ପଚାଂୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ସାରିଛି । ପ୍ରାର୍ଥୀ ମାନେ ଏବେ ଗାଁରେ ପ୍ରଚାର ଚଳାଇଛନ୍ତି । କିନ୍ତୁ, କୋଭିଡ଼୍ କଟକଣା ପାଇଁ ପ୍ରଚାର କିଛିଟା ଫିକା ପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରୀ କରାଯାଇଥିବା ଗାଇଡ୍ ଲାଇନ୍ ଅନୁସାରେ ପ୍ରଚାର ଚାଲିଛି । ଏଥର ଡିଜିଟାଲ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରାର୍ଥୀ ମାନେ ମୋବାଇଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କୁ ପ୍ରାର୍ଥୀ ଭିଡ଼ିଓ କଲ୍ କରି ଭୋଟ୍ ଦେବାକୁ ନିବେଦନ କରୁଛନ୍ତି । ଏପରିକି କିଛି ନେତା ନିଜର ସାଙ୍ଗସାଥୀଙ୍କୁ ଧରି ଟ୍ରେନ୍ ଟିକେଟ୍ ମଧ୍ୟ ବୁକିଂ କରିଦେଉଛନ୍ତି । ଗଞ୍ଜାମ ଜିଲ୍ଲାରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ପ୍ରବାସୀ ସୁରତରେ କାମ କରୁଛନ୍ତି । ସୁରତରେ କାମ କରୁଥିବା ଓଡ଼ିଆ ପ୍ରବାସୀଙ୍କୁ ଆଣିବା ପାଇଁ କସରତ ଚଳାଇଛନ୍ତି ନେତା । ନିର୍ବାଚନ ସମୟ ଆସିଲେ ପ୍ରବାସୀ ଶ୍ରମିକ ମାନଙ୍କ କଥା ନେତା ମାନଙ୍କର ମନେ ପଡିଥାଏ ।
ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସୁରତରେ ଆୟୋଜିତ ଓଡ଼ିଶା ମହୋତ୍ସବ ଉଦଘାଟନ କରି ପରୋକ୍ଷରେ ପ୍ରବାସୀଙ୍କୁ ଭୋଟ୍ ଭିକ୍ଷା କରିଥିଲେ । ଏଥର ପଚାଂୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ନେତାମାନେ ପୁଣିଥିରେ ପ୍ରବାସୀଙ୍କୁ ଚାହିଁ ବସିଛନ୍ତି । ସୁରତରୁ ବ୍ରହ୍ମପୁରକୁ ସପ୍ତାହରେ ତିନୋଟି ଟ୍ରେନ୍ ୫ ଦିନ ଯାତାୟାତ କରିଥାଏ । ଓଖା-ପୁରୀ ଟ୍ରେନ୍ ରେ ଆସନ୍ତା ଅପ୍ରେଲ ୨୮ ତାରିଖ ପର୍ଯ୍ୟନ୍ତ ସ୍ଲିପର ଟିକେଟ୍ ନାହିଁ । ସେହିପରି ଗାନ୍ଧିଧାମ- ପୁରୀ ଟ୍ରେନ୍ ରେ ଆସନ୍ତା ଅପ୍ରେଲ ୨୦ ତାରିଖ ପର୍ଯ୍ୟନ୍ତ ସ୍ଲିପରରେ ଟିକେଟ୍ ନଥିବା ବେଳେ ଅହମ୍ମଦାବାଦ – ପୁରୀ ଟ୍ରେନ୍ ରେ ଅପ୍ରେଲ ୨୧ ତାରିଖ ପର୍ଯ୍ୟନ୍ତ ଟିକେଟ୍ ନଥିବା ବ୍ରହ୍ମପୁର ରେଳ ଷ୍ଟେସନ ସୂତ୍ରରୁ ସୂଚନା ମିଳିଛି । ସେହିପରି ଏହି ତିନୋଟି ଟ୍ରେନ୍ ରେ ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ସାଧାରଣ ଟିକେଟ୍ ନାହିଁ । ଯାହାକୁ ନେଇ ନେତାମାନେ ଚିନ୍ତାରେ ପଡିଛନ୍ତି ।