ଖୋର୍ଦ୍ଧା, କିଛି ଦିନର ବ୍ୟବଧାନରେ ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇପଡିଛନ୍ତି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଂଚଳରେ । ସୂଚନା ଅନୁଯାୟୀ, ଗୁରୁବାର ଭୋର୍ ସମୟରେ ଟାଙ୍ଗୀ ବ୍ଲକ ନରମାନବୀ ଗ୍ରାମର ଚାଷୀ ଗୋପାଳ ଚନ୍ଦ୍ର ରାଉତ (୫୦) ଘରେ ଶୋଇଥିଲେ । ଦନ୍ତାର ଆଗମନ ସମୟରେ ଘର ଦୁଆରେ ବନ୍ଧା ଯାଇଥିବା ଗାଇ ଗୁଡିକ ରଡି ପକାଇଥିଲେ । ତେଣୁ ଘଟଣା ଜାଣିବାକୁ ଗୋପାଳ ନିଦରୁ ଉଠି ଘର ବାହାରକୁ ଆସିଥିଲେ । କିନ୍ତୁ ସେ ଦୂଆରେ ଛିଡା ହୋଇଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ନେଇ ତଳେ କଚାଡି ଦେଇଥିଲା । ତାଙ୍କର ଚିତ୍କାର ଶୁଣି ପଡୋଶୀ ଲୋକେ ହାତୀକୁ ଘଉଡାଇ ଦେଇଥିଲେ । ଏପରିକି ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଗୋପାଳଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।ପ୍ରକାଶ ଥାଉକି, କିଛି ଦିନ ହେବ ଟାଙ୍ଗୀ ରେଞ୍ଜ୍ ର ବିଭିନ୍ନ ଅଞ୍ଚଳରେ ଏକ ୩୨ ଟିକିଆ ହାତୀ ପଲ ଆତଙ୍କ ରାଜ ସୃଷ୍ଟି କରିଛନ୍ତି । ହାତୀ ମାନଙ୍କ ଆକ୍ରମଣରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଟ୍ରେନ୍ ଧକ୍କାରେ ୨ ଟି ହାତୀ ମୃତ୍ୟୁବରଣ କରିଛନ୍ତି । ତେବେ ଟାଙ୍ଗୀ ବନ ବିଭାଗ ଗତ କିଛି ଦିନ ତଳେ ସମସ୍ତ ହାତୀ ଗୁଡିକୁ ପଟିଆ ଜଙ୍ଗଲକୁ ଘଉଡାଇଵାରେ ସଫଳ ହୋଇଥିବା ବେଳେ ୫ଟି ଦନ୍ତା ପଲ ରହିଯାଇଥିଲେ । ଏବେ ଏହି ଦନ୍ତା ପଲ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛନ୍ତି । ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଉଠାଇଛନ୍ତି ।
Related Stories
November 23, 2024