ଭୁବନେଶ୍ୱର, ଏକୁଟିଆ ଦୋକାନୀଙ୍କୁ ଦେଖି ଦୋକାନ୍ ରୁ ଲୁଟ୍ କରୁଥିବା ଅଭିଯୋଗରେ ୪ ଜଣ ଅଣଓଡିଆ ଚୋରଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଗତକିଛି ଦିନ ମଧ୍ୟରେ ଏହି ୪ ଜଣିଆ ବଙ୍ଗାଳି ଚୋର ଗ୍ୟାଙ୍ଗ୍ ଦୋକାନରେ ଗ୍ରାହକ ସାଜି ପଶୁଥିଲେ । ଦୋକାନୀଙ୍କ ସହ ଯୁକ୍ତିତର୍କ କରୁଥିଲେ ଏବଂ ସୁବିଧା ଦେଖି କ୍ୟାସ୍ କାଉଂଟରରୁ ଟଙ୍କା ଚୋରି କରୁଥିଲେ । ଏଭଳି ଢଙ୍ଗରେ ବ୍ରହ୍ମପୁରରୁ ଆରମ୍ଭ କରି ରାଜଧାନୀର ୪ଟି ଦୋକାନରେ କଳାକନା ବୁଲାଇବା ପରେ କଟକ ମୁହାଁ ହୋଇଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ୍ । ପୋଲିସ୍ ସେମାନଙ୍କ ଠାରୁ ୩୯,୦୦୦ଟଙ୍କା , ୪ ଟି ମୋବାଇଲ୍ , ଦୁଇଟି ଭୋଟର କାର୍ଡ ଓ ଆଧାର କାର୍ଡ ଜବତ କରିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ଟୁଇନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ନାମ ହେଲା ରାଜୁ, ଶଙ୍କର, ସୋନୁ ଓ ଶାମ । ରାଜୁ ଘର ପଶ୍ଚିମ ବଙ୍ଗରେ ହୋଇଥିବା ବେଳେ ଶଙ୍କର, ସୋନୁ, ଶାମଙ୍କ ଘର ଉତର ଚବିଶ ପ୍ରଗଣାରେ ବୋଲି ଜଣାଯାଇଛି । ରାଜୁ ଗ୍ୟାଙ୍ଗ ଲିଡର ଥିବା ବେଳେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା । ଲକ୍ଡାଉନ୍ ସମୟରେ କାମ ନ ପାଇ ସେମାନେ ଏହି ଫଣ୍ଡାକୁ ରୋଜଗାର ମାଧ୍ୟମ ଭାବେ ଆପଣାଇଥିଲେ ।
ଗତ ୨୦ ତାରିଖରେ ବଡ଼ଗଡ଼ରେ, ୨୧ ତାରିଖରେ ନୂଆପଲ୍ଲୀ, ୨୨ ତାରିଖରେ ଲିଙ୍ଗରାଜ, ୨୪ ତାରିଖରେ ଖାରବେଳ ନଗରରେ ଲୁଟ୍ ହୋଇଥିଲା । ଏ ନେଇ ଅଭିଯୋଗ ହେବା ପରେ ଏସିପି ସଞ୍ଜୀବ ଶତପଥୀଙ୍କ ତତ୍ୱାବଧନରେ ଏକ ଟିମ୍ ଗଠିତ ହୋଇଥିଲା । ଯେଉଁ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜଧାନୀ ଭୁବନେଶ୍ୱରରୁ ଏହି ୪ ଜଣଙ୍କୁ ଗିରଫ କରିଛି ।