ଭୁବନେଶ୍ୱର, ପରୀକ୍ଷା ବାତିଲ ଦାବିରେ ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଯୁକ୍ତଦୁଇ ଛାତ୍ରଛାତ୍ରୀ । ମାର୍ଚ୍ଚରେ ହେବାକୁ ଥିବା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରି ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଚଳିତ ଶିକ୍ଷା ବର୍ଷରେ ମାତ୍ର ୫ ମାସର ଅଫଲାଇନ ପାଠପଢାରେ ଗୋଟିଏ ତ୍ରୟ ମାସିକ ଟେଷ୍ଟ ସରିଛି । ଏବେ ସୁଦ୍ଧା ୭୦ ପ୍ରତିଶତ ସିଲାବସ ମଧ୍ୟ ସରିନାହିଁ । ଅନ୍ୟପଟେ ୟୁଟ୍ୟୁବ ପାଠପଢ଼ା ସହ ଅନଲାଇନ ପାଠପଢ଼ା ବି ଠିକ୍ ଭାବେ ହୋଇପାରିନି । ଏଭଳି ସ୍ଥିତିରେ ପରୀକ୍ଷା ବାତିଲ କରାଯାଇ ତ୍ରୟ ମାସିକ ପରୀକ୍ଷାର ମାର୍କ ଅନୁସାରେ ବୋର୍ଡ ପରୀକ୍ଷାର ମାର୍କ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।