
-
ରାଜରାସ୍ତା ଅବରୋଧ କରି ଚାଷୀଙ୍କ ପ୍ରତିବାଦ
ଗଞ୍ଜାମ, ବ୍ୟାପକ ହେବାରେ ଲାଗିଛି ଚାଷୀଙ୍କ ଆନ୍ଦୋଳନ । ଶହ ଶହ ସଂଖ୍ୟାରେ ଧାନ ବସ୍ତା ଚାଷୀ ଗଦେଇ ଦେଇଛନ୍ତି ରାସ୍ତା ଉପରେ । ଆନ୍ଦୋଳନ ଜାରୀ ରହିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କିଛି ଏପରି ଚିତ୍ର ସାମ୍ନାକୁ ଆସିଛି । ଗତକାଲି ଠାରୁ ସ୍ଥାନୀୟ ବୁରୁଝରୀ ଠାରେ ଚାଷୀମାନେ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କରି ରଖିଥିବା ବେଳେ ଆଜି ସକାଳୁ ସକାଳୁ ବୁରୁଝୁରୀ ନିକଟସ୍ଥ ସୁମଣ୍ଡଳ ଠାରେ ମଧ୍ୟ ଅନୂରୂପ ଭାବେ ଚାଷୀ ଧାନ ବସ୍ତା ରାସ୍ତାରେ ରଖି ଧାରଣା ଦେଇଛନ୍ତି ।
ମଣ୍ଡିରେ କଟନି ଛଟନିକୁ ବିରୋଧ କରି ବୁରୁଝୁରୀ ପଚାଂୟତ ଓ ସୁମଣ୍ଡଳ ପଚାଂୟତର ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଚାଷୀଙ୍କ ଠାରୁ ସରକାର ଠିକ୍ ସମୟରେ ଉଚିତ ପରିମାଣର ଧାନ ଉଠାଉ ନଥିବାରୁ ଚାଷୀ ପ୍ରତିବାଦ କରିଛନ୍ତି । ମଣ୍ଡି ମାଧ୍ୟମରେ ବସ୍ତାରେ ୭୫ କିଲୋଗ୍ରାମ ବଦଳରେ ୮୦ କିଲୋଗ୍ରାମ ଧାନ ନିଆଯାଉଛି । ଏ ସମସ୍ୟା ନେଇ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଚାଷୀ ଅଭିଯୋଗ କରିବାପରେ ମଧ୍ୟ କେହି ନଶୁଣିବାରୁ ଶେଷରେ ଚାଷୀ ରାସ୍ତା ଅବରୋଧ କରିଛନ୍ତି । ସୁମଣ୍ଡଳ ଠାରେ ଆଜି ସକାଳୁ ସକାଳୁ ଏହି ଅବରୋଧ ହୋଇଥିବା ବେଳେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନାହାନ୍ତି । ସେପଟେ ବୁରୁଝୁରୀ ଠାରେ ଗତକାଲି ବହୁ ପ୍ରଶାସନିକ ଅଧିକାରୀ ପହଂଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଚାଷୀ ମାନେ ଅଦ୍ୟାବଧି ଧାରଣା ଜାରି ରଖି ରାଜରାସ୍ତା ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି, ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଚାଷୀ ।