
ବଲାଙ୍ଗିର,ଅନ୍ ଲାଇନ ମାଧ୍ୟମରେ ବଲାଙ୍ଗିରରେ ଜାତୀୟ ମତଦାନ ଦିବସକୁ ପାଳନ କରାଯାଇଛି । ନିର୍ବାଚନ କମିଶନରଙ୍କ ପରାମର୍ଶ କ୍ରମେ ଆଜି ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉପଖଣ୍ଡ ବ୍ଳକ ସହିତ ଯୋଗାଯୋଗରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ଚଞ୍ଚଲ ରାଣା ଉପସ୍ଥିତ ରହି ସମସ୍ତ ମତଦାତାମାନଙ୍କୁ ଶପଥ ପାଠ କରାଇଥିଲେ। ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଭୋଟର୍ ମାନଙ୍କୁ ଭୋଟ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଚଳିତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବା ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯାଇଥିଲା ।
ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ବୁଥ୍ ସ୍ତରୀୟ ଅଧିକାରୀ ମାନେ ହେଲେ ଲୋଇସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୨୩୯ ର ରାମବତୀ ସୁନା, ଟିଟଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୯୧ ବୃନ୍ଦାବତୀ ପଟେଲ, ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀ ବୁଥ୍ ନମ୍ବର ୧୫ ର କଳ୍ପନା ପଟେଲ। ସେହିପରି ଉପଖଣ୍ଡ ସ୍ତରରେ ସମ୍ପୃକ୍ତ ବିଧାନସଭା ମଣ୍ଡଳୀର ଭୋଟର୍ ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବା ୩ ଜଣ ବି.ଏଲ୍.ଓ ସ୍ତରୀୟ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ଵାଦଶ ଜାତୀୟ ମତଦାତା ଦିବସର ବିଷୟବସ୍ତୁ ” ନିର୍ବାଚନକୁ ସମାବେଶୀ ସୁଗମ ଏବଂ ସହଭାଗୀ ” ରଖାଯାଇଛି । ଭି.ସି. ହଲ୍ ଠାରେ ଜିଲ୍ଲାପାଳ ରାଣା ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ମହେନ୍ଦ୍ର ମହାପାତ୍ର, ଡେପୁଟି କଲେକ୍ଟର ରିନା ନାଏକ, ଇପସିତା ପାତ୍ର, ଦିବାକର ବାଗ, ଆସିଷ୍ଟାଣ୍ଟ କଲେକ୍ଟର ଗୁରେସ୍ଵର ଭୋଇ, ଫାଲଗୁନି ସାହୁ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁରୂପ ଭାବେ ଉପଖଣ୍ଡ ସ୍ତରରେ ସମ୍ପୃକ୍ତ ଉପଜିଲ୍ଲାପାଳ, ବ୍ଲକ ସ୍ତରରେ ବି ଡି ଓ ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।