
କନ୍ଧମାଳ, ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପିଏଜିର କାର୍ଯ୍ୟକାରୀ କମିଟିର ନିର୍ବାଚନ ଆସନ୍ତା ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ହେବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତି ନିଆଯାଇଛି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ୫୩ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ଏହାର ସଦସ୍ୟ ଅଛନ୍ତି । ସେଥି ମଧ୍ୟରୁ ୧୦ଟି ସଂସ୍ଥା ଦୀର୍ଘ ଦିନ ଧରି ଯୋଗ ଦେଉ ନଥିବା ଜଣାପଡିଛି । ପିଏଜି ହେଉଛି କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ଏକ ପଞ୍ଜିକୃତ ମହାସଂଘ । ପିଏଜିର ଚଳିତ କମିଟିର ଅବଧି ଅତିକ୍ରାନ୍ତ ହୋଇ ସାରିଥିବାରୁ ଉପବିଧି ଅନୁସାରେ ବୈଧସଭ୍ୟ ତାଲିକା ଚୂଡ଼ାନ୍ତ କରି ନିର୍ବାଚନ ହେବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତି ନିଆଯାଇଛି । ପିଏଜିର ଉପବିଧି ଅନୁସାରେ କାର୍ଯ୍ୟକାରି କମିଟିରେ କୌଣସି ସଦସ୍ୟ ଲଗାତର ଭାବେ ଦୁଇ ଥରରୁ ଅଧିକ ଥର ରହିବା ବ୍ୟବସ୍ଥା ରଖାଯାଇନାହିଁ । ତେଣୁ, ପ୍ରତ୍ୟେକ ସଭ୍ୟ ଅନୁଷ୍ଠାନ ମହାସଂଘ ପରିଚାଳନାର ଦାୟିତ୍ୱ ନେବାକୁ ସୁଯୋଗ ସୃଷ୍ଟି ହେବ । ଏହା ଓଡ଼ିଶାର ଏକମାତ୍ର ସର୍ବ ପୁରାତନ ଅନୁଷ୍ଠାନ ଭାବେ ପରିଚିତ ।
୧୯୮୪ ମସିହାରେ ଜିଲାର ସାତଟି ଅନୁଷ୍ଠାନ ନିଜ ମଧ୍ୟରେ ଭାଇଚାରା ପ୍ରତିଷ୍ଠା ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଜିଲାର ବିକାଶରେ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ଗଠନ କରାଯାଇଥିଲା । ପ୍ରତିଷ୍ଠାତା ସଭ୍ୟ ହିସାବରେ ନୀପଡିତ, ଜାଗୃତି, ବନବାସୀ ସେବାସମିତି, ପ୍ରଦତ୍ତ, ଘୁମୁସର ମହିଳା ସଂଗଠନ, ଜନ ବିକାଶ ଓ ପଲ୍ଲୀଶ୍ରୀ ମିଳିତ ଭାବେ ଫୁଲବାଣୀ ଆକ୍ସନ ଗ୍ରୁପ (ପିଏଜି) ନାମରେ ଗଠନ କରିଥିଲେ ।