-
ସ୍ୱର୍ଗତ ଦୁର୍ଗା ଚରଣଙ୍କ ଏକାଦଶାହରେ ସ୍ମୃତିସଭା ଅନୁଷ୍ଠିତ ,
ଧର୍ମ ପରାୟଣ ପୁରୁଷ, ସମାଜସେବୀ ତଥା ସାକେତ ସତସଙ୍ଗ ସାଂସ୍କୃତିକ ପରିଷଦ ପ୍ରତିଷ୍ଠାତା ଦୁର୍ଗା ଚରଣଙ୍କୁ ରାମାୟଣ ପ୍ରେମୀ, ସମାଜସେବୀ ଏବଂ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ | ଦୁର୍ଗା ଚରଣ ଏକାଧାରରେ ଜଣେ ନିଷ୍କପଟ, ମିଷ୍ଟଭାଷୀ , ଦୟାଳୁ ,ଧର୍ମପରାୟଣ ଓ ପରୋପକାରୀ ପୁରୁଷ ଥିଲେ ।କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ନିବାସୀ ଦୁର୍ଗା ଚରଣ ସନ ୧୯୪୬ ଅକ୍ଟୋବର ୧୦ ତାରିଖରେ ପିତା-ପଞ୍ଚୁ ପ୍ରଧାନ ଏବଂ ମାତା-ବାଲୁରୀ ପ୍ରଧାନଙ୍କ କୋଳ ମଣ୍ଡନ କରିଥିବା ଦିବ୍ୟ ସନ୍ତାନଟି ନିଜର ସମସ୍ତ ପ୍ରାରବ୍ଧକୁ ଭୋଗକରି ୭୬ ବର୍ଷ ବୟସରେ ୨୦୨୨ ଜାନୁଆରୀ ୧୩ ତାରିଖ ଗୁରୁବାର ଦିନ ପ୍ରାତଃ ୯ ଘଂଟିକା ୩୫ ମିନିଟ ସମୟରେ ବିଭୁପଦରେ ଲୀନ ହୋଇଗଲେ | ଜୀବନର ସେତିକି ସମୟ ମଧ୍ୟରେ ନିଜର ପାରଦର୍ଶିତାକୁ ସେ ସଫଳଭାବରେ ପ୍ରତିପାଦିତ କରିପାରିଥିଲେ | ଆଜି କେବଳ ତାଙ୍କର ପରିବାର କି ବନ୍ଧୁବର୍ଗ ନୁହଁନ୍ତି,ତାଙ୍କର ମହାପ୍ରୟାଣରେ ଓଡିଶାର ବିଶିଷ୍ଠ ସାଧୁ,ସନ୍ୟାସୀ,କଥାବାଚକ ଏବଂ ଅନେକ ରାମାୟଣପ୍ରେମୀ ଶୋକ ପ୍ରକଟ କରିଛନ୍ତି | ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସେ ଥିଲେ ଜଣେ ସ୍ୱଳ୍ପ ବେତନଭୋଗୀ ସରକାରୀ କର୍ମଚାରୀ | କିନ୍ତୁ,କର୍ମଜୀବନ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଚିତ୍ରକୂଟ ଆଶ୍ରମର ସାଧୁ ସନ୍ୟାସୀଙ୍କର ବ୍ୟକ୍ତିଗତ ସାନିଧ୍ୟକ୍ରମେ ସେ ଶ୍ରୀରାମଚରିତମାନସ ମହାଗ୍ରନ୍ଥର ମହାତ୍ମ୍ୟକୁ ଅନୁଭବ କରିପାରିଥିଲେ | ଗୁରୁମନ୍ତ୍ର “ଶ୍ରୀରାମ ଜୟ ରାମ ଜୟ ଜୟ ରାମ” କୁ ବାରମ୍ବାର ଗାୟନ କରିବାଦ୍ୱାରା ନିଜ ଗାଆଁ ମାଟିର ପରମେଷ୍ଟ ଅକର୍ମ କର୍ମଦାୟକ ପ୍ରଭୁ ବାଲୁଙ୍କେଶ୍ୱରଙ୍କର କୃପାପାତ୍ର ହୋଇ ଉକ୍ତ ମନ୍ଦିର ପରିସରରେ ଶ୍ରୀରାମଚରିତମାନସ ପାରାୟଣ ଏବଂ ପ୍ରବଚନର ଆବିଷ୍କାର କରିବାରେ ସେ ସଫଳ ହୋଇଥିଲେ |ସମାଜରେ ହରିନାମର ମହାତ୍ମ୍ୟକୁ ପ୍ରସାରିତ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ |
ତାଙ୍କର ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଏହି ଅଞ୍ଚଳର ଅନେକ ବିଦ୍ୱାନ ଏବଂ ବୁଦ୍ଧିଜୀବୀମାନେ ମଞ୍ଚାରୋହଣପୂର୍ବକ ଅଞ୍ଚଳବାସୀଙ୍କୁ ନିଜର ଅଭିଭାଷଣ ଏବଂ ବକ୍ତବ୍ୟ ମାଧ୍ୟମରେ ଜୀବନର ସୁଖ ସମୃଦ୍ଧିର ବିଭିନ୍ନ ରହସ୍ୟକୁ ବାଣ୍ଟିବାରେ ସଫଳତା ଅର୍ଜନ କରିଆସୁଥିଲେ | ପାରାୟଣ ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଅନ୍ୟାନ୍ୟ ପ୍ରତିଭା ଉନ୍ମେଷୀ କାର୍ଯ୍ୟକ୍ରମ ଏବଂ ନୃତ୍ୟ,ସଂଗୀତର ବିବିଧ ପରିବେଷଣକୁ ସମ୍ମିଳିତ କରିବା ତାଙ୍କର ଥିଲା ଅନ୍ୟତମ ଉପଲବ୍ଧି | ତାଙ୍କର ଦୂରଗାମୀ ଦୃଷ୍ଟିକୋଣ ଯୋଗୁଁ ଅନେକଙ୍କ ଭିତରେ ଭାଷଣ ତଥା ମଞ୍ଚ ସଞ୍ଚାଳନ କଳା କୌଶଳର ବିକାଶ ସମ୍ଭବ ହୋଇପାରୁଥିଲା | ତାଙ୍କର ବ୍ୟକ୍ତିଗତ ପ୍ରଚେଷ୍ଠା ଯୋଗୁଁ ଆମ ଅଞ୍ଚଳରେ ମହାନ ସାଧୁ,ସନ୍ୟାସୀ, ଆଚାର୍ଯ୍ୟ,ବିପ୍ରମାନଙ୍କର ସମାଗମର ରାସ୍ତା ସୁଗମ ହୋଇପାରୁଥିଲା |ଦୀର୍ଘ ୪୩ ବର୍ଷ ଧରି ସମସ୍ତଙ୍କ ମନରେ ସେ ଶ୍ରୀରାମକଥାରୂପୀ ପାବନ ଗଙ୍ଗାର ଏକ ଦିବ୍ୟ ପ୍ରବାହ ସୃଷ୍ଟି କରିପାରିଲେ | ସମାଜ ପାଇଁ ତାଙ୍କର ଯେଉଁ ଅବଦାନ ତାହାକୁ କେବଳ ପ୍ରକୃତ ସାମାଜିକ ମନସ୍କ ହିଁ ବୁଝିପାରିବେ | ତାଙ୍କର ସ୍ୱର୍ଗୀୟ ଆତ୍ମାକୁ ସଶ୍ରଦ୍ଧ ସମ୍ମାନ ପୂର୍ବକ ତାଙ୍କଦ୍ୱାରା ସ୍ଥାପିତ ସାକେତ ସତସଙ୍ଗ ସାଂସ୍କୃତିକ ପରିଷଦ ଦ୍ୱାରା ପରିଚାଳିତ ଶ୍ରୀରାମଚରିତମାନସ ନବାହ୍ନ ପାରାୟଣ ଓ ଜ୍ଞାନଯଜ୍ଞ ରୂପକ ପୁଣ୍ୟ କୀର୍ତ୍ତି ସ୍ତମ୍ଭର ସୁରକ୍ଷା ନିମନ୍ତେ ଅଞ୍ଚଳବାସୀ ପ୍ରତିଜ୍ଞା ବଦ୍ଧ କାମନା କରାଯାଇଥିଲା |ଏହି ସ୍ମୃତିସଭାରେ ପଥୁରୀପଡା ଗ୍ରାମର ରାମାୟଣ ପ୍ରେମୀ ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ରାମାୟଣ ପ୍ରେମୀ ହରିବନ୍ଧୁ ପଣ୍ଡା,ବିପିନ ବିହାରୀ ତ୍ରିପାଠୀ,ବଗୁଲିଆ ରଣା, ପଶାଣିଆ ଗ୍ରାମର ଶିକ୍ଷକ ସୀତାକାନ୍ତ ପାଣିଗ୍ରାହୀ,କଣ୍ଠଶିଳ୍ପୀ ଦିଲ୍ଲୀପ ପାଣିଗ୍ରାହୀ, ଉଦ୍ୟନାଥ ସ୍ୱାଇଁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ |