ମାଲକାନଗିରି – ପାର୍ବଣ ରୁତୁ ଆସିଲେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇ ଉଠେ । ଗଣେଶ ପୂଜା ଠାରୁ ଆରମ୍ଭ କରି କାଳିପୂଜା ଯାଏ ସବୁଠି ଧୁମ୍ ଧାମ୍ ରେ ଚାଲେ ମହୋତ୍ସବ । ଏହି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ ମଧ୍ୟ କରାଯାଇ ଥାଏ ।ମୂର୍ତ୍ତି ତିଆରି ଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ସବୁ କିଛି ପ୍ରତି ଗୁରୁତ୍ବ ଦେବା ସହ ପୂଜାକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡିଥାନ୍ତି ସମସ୍ତ ପୂଜା କମିଟି । ଏମିତି ଉତ୍ସବ ମାନଙ୍କରେ ମନୋରଞ୍ଜନ ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥାଏ । ଭକ୍ତି ସଙ୍ଗୀତ ଠାରୁ ଆରମ୍ଭ କରି ଅଶ୍ଳୀଳ ନୃତ୍ୟ ମଧ୍ୟ ସବୁକିଛି ଦେଖିବାକୁ ମିଳେ ପୂଜା ପେଣ୍ଡାଲ ନିକଟରେ । ସାଂସ୍କୃତିକ ଦଳ ଆଧୁନିକତା ନାଁ ରେ ବିଳମ୍ବିତ ରାତିରେ ଆରମ୍ଭ କରିଥାନ୍ତି ଅଶ୍ଳୀଳ ନୃତ୍ୟ । ପରମ୍ପରା ଓ ସଂସ୍କୃତି ବିରୋଧୀ ହୋଇଥିଲେ ମଧ୍ୟ ସେଥି ପ୍ରତି କାହାର କିଛି ଖାତିର୍ ନାହିଁ । ମଞ୍ଚ ଉପରେ କଳାକାର ମାନେ ଯେଉଁ ଭଳିି ଢଙ୍ଗରେ ପୋଷାକ ପରିଧାନ କରିବା ସହ ଯେଉଁଭଳି ନୃତ୍ୟ ପରିବେଷଣ କରିଥାନ୍ତି ତାହା ବିଳମ୍ବିତ ରାତିରେ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥାଏ । ଏଠାରେ ପ୍ରକାଶିତ ଫଟୋ ଠାରୁ ଅଧିକ ଅଶ୍ଳୀଳ ଅଙ୍ଗଭଙ୍ଗୀ ଏବଂ ସମ୍ପୂର୍ଣ୍ଣ ପୋଷାକ ଖୋଲି ନୃତ୍ୟ ମଧ୍ୟ ପରିବେଷଣ ହୋଇଥାଏ । ଦୁଇ ଅର୍ଥ ବୋଧକ କଥା ମଧ୍ୟ କହିଥାନ୍ତି ଏହି କଳାକାର ମାନେ ମଞ୍ଚ ଉପରେ । ସର୍ବସାଧାରଣ ସ୍ଥାନରେ ଏବଂ ଅତ୍ୟାଧୁନିକ ପରିବେଶରେ ଏମିତି ନୃତ୍ୟକୁ ବୁଦ୍ଧିଜିବୀ ନା ପସନ୍ଦ କରୁଥିଲେ ବି ଖୋଲାଖୋଲି ଭାବେ ଏହାକୁ ବିରୋଧ କରିବାର ସାହସ ଜୁଟାଇ ପାରୁନାହାନ୍ତି ।
ନିକଟରେ କାଲିମେଳା ବ୍ଲକ ଅଞ୍ଚଳରେ ଆଖାପାଖର ବିଭିନ୍ନ ସ୍ଥାନରେ କାଳୀପୂଜା ଶେଷ୍ ହୋଇଛି । କିଛି ଅନୁଷ୍ଠାନ ଧୁମ୍ ଧାମ୍ ରେ ପୂଜାର ଆୟୋଜନ କରିଥିଲେ ମଧ୍ୟ ସେଠାକାର ମଞ୍ଚ ଉପରେ ଭକ୍ତି କିମ୍ବା ଶ୍ରଦ୍ଧାର ଚିହ୍ନ ବର୍ଣ୍ଣ ଆଦୌ ନ ଥିଲା । ପୂଜା କେବଳ ନାମକୁ ମାତ୍ର ଚାଲୁଥିବା ବେଳେ ମନୋରଞ୍ଜନ ପାଇଁ ଅଶ୍ଳୀଳ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଜୋରଦାର୍ ଚାଲିଥିଲା । ଏହା କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଘଟିଛି ତାହା ନୁହଁ। କିନ୍ତୁ ମଞ୍ଚ ଉପରେ ବିଳମ୍ବିତ ରାତିରେ ଏହି ଅଶ୍ଳୀଳ ନୃତ୍ୟର ଆୟୋଜନ କରାଯାଇଥିଲା । ଏଭଳି ଅପସଂସ୍କୃତି ଧୀରେ ଧୀରେ ପରମ୍ପରା ହୋଇଯାଇଥିବା ବେଳେ ଏମିତି ଅଶ୍ଳୀଳ ନାଚ ଗୀତରେ ମତୁଆଲା ଯୁବପିଢ଼ି ସମ୍ପୂର୍ଣ୍ଣ ଗ୍ରାସ ହେଉଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ସ୍କୁଲ ଓ କଲେଜ ପଢୁଅା ପିଲାଙ୍କ ଉପରେ ଏହା କଣ ପ୍ରଭାବ ପକାଉଛି ତାହା ଉପରେ କାହାର ଦୃଷ୍ଟି ନ ଥିଲା । ଏଭଳି ଅଶ୍ଳୀଳ ନୃତ୍ୟକୁ ଆମେ କେବେ ଗ୍ରହଣ କରିବା କଥା ନୁହେଁ; ଏହାକୁ ବିରୋଧ କରିବା କଥା । ପୂଜା ସମୟରେ ଏହିଭଳି ଅଶ୍ଳୀଳ ନୃତ୍ୟ ଆଦୌ ଗ୍ରହଣୀୟ ନୁହେଁ । ଏହା କୁନି କୁନି ପିଲା ଓ କଲେଜ ପଢୁଥିବା ପିଲାଙ୍କ ମଧ୍ୟରେ କୁ ପ୍ରଭାବ ପକାଉଛି । ଯାହା ପିଲାଙ୍କୁ ପଥ ଭ୍ରଷ୍ଟ କରିବା ସହ ପିଲାଙ୍କ ଭିତରେ କୁପ୍ରଭାବ ପକାଇବ । ତୁରନ୍ତ ଏଥି ପ୍ରତି ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା କଥା । ଏଥି ପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବା ସହ ଏଭଳି ନାଚଗୀତକୁ ବନ୍ଦ କରିବା ଦରକାର ଏବଂ ଏଭଳି ଭୁଲ୍ ପୁନର୍ବାର କୌଣସି କମିଟି ଯେପରି ନ କରେ ଏଥି ପାଇଁ ସତର୍କ କରିବା ଆବଶ୍ୟକ ।