ଭୁବନେଶ୍ୱର,ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସୋମବାର ଫୁଲ୍ ଡ୍ରେସ୍ ପ୍ୟାରଡ୍ ରିହରସାଲ ଶେଷ ହୋଇଛି । ରାଜ୍ୟ ପୋଲିସ ଡିଜି ସୁନିଲ୍ ବଂଶଲ ଆଜିର ଫାଇନାଲ୍ ପ୍ୟାରେଡ ରିହରସାଲକୁ ନିରୀକ୍ଷଣ କରିଥିଲେ । ଏଥର ପ୍ୟାରେଡରେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଂଟିଜେଂଟ ଟ୍ରୁପ୍ ଭାଗ ନେଇଛନ୍ତି । ପ୍ରଥମ ଥର ପାଇଁ ବିଏସଏଫ ଭାଗ ନେବେ । କୋଭିଡ କଟକଣା ପାଇଁ ସିଭିଲ୍ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରୀୟ ପ୍ୟାରେଡରୁ ବାଦ୍ କରାଯାଇଛି । ଅନ୍ୟପଟେ ପ୍ୟାରେଡରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଡିଜି ସୁନିଲ୍ ବଂଶଲ ସୂଚନା ଦେଇଛନ୍ତି ।
ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏହାସହ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ଜଣ ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ଏବଂ ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।