ଭୁବନେଶ୍ୱର, ଓଡ଼ିଶାର ଶେଷ ସ୍ୱାଧୀନତା ବଜାୟ ରଖିବା ପାଇଁ ଉତ୍କଳଜନନୀର ଯେଉଁ କେତେଜଣ ବୀର ସୁଯୋଗ୍ୟ ସନ୍ତାନ ଇଂରେଜମାନଙ୍କ ସହ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଅନ୍ୟତମ । ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣଧାର ଥିଲେ ବିପ୍ଳବୀ ବକ୍ସି ଜଗବନ୍ଧୁ । ବକ୍ସି ଜଗବନ୍ଧୁଙ୍କର ବଳିଷ୍ଠ ନେତୃତ୍ୱ, ଅସୀମ ତ୍ୟାଗ, ବୀରତ୍ୱ, ଦେଶପ୍ରେମ ତଥା ଆତ୍ମୋତ୍ସର୍ଗ ଓଡ଼ିଶା ଇତିହାସର ଏକ ଗୌରବପୂର୍ଣ୍ଣ ରକ୍ତରଞ୍ଜିତ ଅଧ୍ୟାୟ । ସେହି କର୍ମବୀର ସର୍ବଦା ଆମର ପ୍ରାତଃସ୍ମରଣୀୟ ହୋଇରହିଥିବେ ।
ସୋମବାର ଭୁବନେଶ୍ୱରସ୍ଥିତ ମ୍ୟୁଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତିକୁ ସ୍ମରଣ କରି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଭାଗ ତରଫରୁ ପ୍ରତିମୂର୍ତି ସ୍ଥଳକୁ ସଜ୍ଜିତ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ମାନସ ରଞ୍ଜନ ଖୁଂଟିଆ, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଏବଂ ବହୁ ବିଭାଗୀୟ ଅଧିକାରୀମାନେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।