ଭୁବନେଶ୍ୱର, ଭୁବନେଶ୍ୱରରେ କୋଭିଡ୍ ସ୍ଥିତିରେ ସୁଧାର ଆସିଛି । ତଥାପି ସତର୍କ ରହିବାକୁ ହେବ । ଏବେ ବି ରାଜଧାନୀରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଛି ବୋଲି ବିଏମସି କୋଭିଡ ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।
ସେ କହିଛନ୍ତି ଯେ, ସଂକ୍ରମଣ ରୋକିବାକୁ ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ ୩୦୦ କେଂଟନମେଂଟ ଓ ମାଇକ୍ରୋ କେଂଟନମେଂଟ ଜୋନ୍ କରାଯାଇଛି । ସେଥିମଧ୍ୟରୁ ଅନେକ ପ୍ରତ୍ୟାହୃତ ହୋଇ ବର୍ତମାନ ଏହି ସଂଖ୍ୟା ୧୩୫ରେ ସୀମିତ ରହିଛି । ଦକ୍ଷିଣପୂର୍ବ ଜୋନ୍ ରେ ୪୦ଟି, ଦକ୍ଷିଣପଶ୍ଚିମ ଜୋନ୍ ରେ ୬୨ଟି ଏବଂ ଉତର ଯୋନରେ ୩୩ଟି କେଂଟନମେଂଟ ଓ ମାଇକ୍ରୋ କଟେନମେଂଟ ରହିଛି ।
ସେହିଭଳି ୪ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଓ ୨ଟି କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ଅଛି ।ବିଭିନ୍ନ ହସ୍ପିଟାଲରେ ମାତ୍ର ୪୮୨ଜଣ ଭର୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସଂଗରୋଧରେ ଅଛନ୍ତି । ପୂର୍ବଭଳି ରାପିଡ୍ ରେସ୍ପୋନ୍ସ ଟିମ ସଂଗରୋଧରେ ଥିବା ସଂକ୍ରମିତଙ୍କୁ ନଜରରେ ରଖିଛନ୍ତି । ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିବା ଗାଡ଼ି ଜରିଆରେ କୋଭିଡ ସଚେତନତା କରାଯାଉଛି । ଦାସକାଠିଆ ଓ ଲୋକକଳା ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି । ଏହା ସହିତ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ସେହିପରି ଟୀକାକରଣ ଓ ଟେଷ୍ଟିଂ ବ୍ୟାପକ ହୋଇଛି । ହସ୍ପିଟାଲ, ବିମାନବନ୍ଦର, ରେଳଷ୍ଟେସନ ଏବଂ ଦୈନିକ ବହୁ ଲୋକଙ୍କ ଯାତାୟତ ଫଳରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ସହର ଅପେକ୍ଷାକୃତ ଅଧିକ ରହୁଥିବା କହିଛନ୍ତି ବିଏମସି କୋଭିଡ ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ।