କନ୍ଧମାଳ , ଯୋଜନାବଦ୍ଧ ଭାବେ ହିନ୍ଦୁ ଦେବା ଦେବୀଙ୍କୁ ଅପମାନ ସୂଚକ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ନ୍ଧମାଳ ଜିଲ୍ଲାକୁ କିଛିଦିନ ବ୍ୟବଧାନ ପରେ ପୁଣି ଅଶାନ୍ତ କରିବାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠିର ଷଡ଼ଯନ୍ତ୍ର ଚାଲିଥିବା ନେଇ ଅଭିଯୋଗ ହେଉଛି । ପୂର୍ବରୁ ଏନେଇ ଦୁଇ ଦୁଇ ଥର ଜିଲ୍ଲାରେ ଶାନ୍ତି ଭଙ୍ଗ ହୋଇ ଜିଲ୍ଲା ଦୁଇ ଦୁଇଟି ଦଙ୍ଗା ସାମ୍ନା କରିଥିବା ବେଳେ ପ୍ରଶାସନ ଏଥିରୁ କିଛି ଶିକ୍ଷା ପାଇ ପାରିନଥିବା ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନିକ ସ୍ଥାଣୁତା ଓ ଦାଇତ୍ୱହୀନତା ଯୋଗୁଁ ଜିଲ୍ଲା ଦୁଇ ଦୁଇ ଥର ଅଶାନ୍ତ ହୋଇଥିବା ନେଇ ମତ ରଖିଛନ୍ତି ଜିଲ୍ଲାର ବୁଦ୍ଧିଜୀବୀ । ଜିଲ୍ଲାରେ ବେଆଇନ ଭାବେ ଧର୍ମାନ୍ତରୀକରଣ ଚାଲିଥିବା ଓ ଜିଲ୍ଲାକୁ ପୁଣି ଅଶାନ୍ତ କରିବାକୁ ଯୋଜନାବଦ୍ଧ ଭାବେ ସଂଖ୍ୟାଗରିଷ୍ଠ ହିନ୍ଦୁ ଧର୍ମର ଦେବା ଦେବୀଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେବା ଓ କାର୍ଯ୍ୟକରିବା ନେଇ ଅଭିଯୋଗ ଉଠିଛି । ବାଲିଗୁଡା ଥାନା ବାଟାଗୁଡା(ବଣ୍ଡେମିଲା) ଗ୍ରାମର କନ୍ଧ କୁଇ ଆଦିବାସୀଙ୍କର ପୂଜା ପଦ୍ଧତି ହେଲା ଧରଣୀ ପେନୁ / ଦାର୍ନିପେନୁ । ଗ୍ରାମବାସୀଙ୍କ ପକ୍ଷରୁ ଏହି ପେନୁ ପୂଜା କରୁଥିବା ପୂଜକଙ୍କୁ ଜମି ଓ ଘର ଯୋଗାଇ ଦିଆଯାଇଥାଏ । ସେହି ଭଳି ଏହି ଗାଁର ପ୍ରଦୀପ ମଲିକଙ୍କୁ ଦୀର୍ଘଦିନ ଧରି ପୂଜା ଦାଇତ୍ୱ ଦିଆଯାଇ ଜମି ଓ ଘର ଗ୍ରାମବାସୀ ଯୋଗାଇ ଦେଇଥିଲେ । କିନ୍ତୁ ଗତ କିଛିଦିନ ପୂର୍ବରୁ ପ୍ରଦୀପ ଗାଁର କାହାକୁ ନ ଜଣାଇ କିଛି ଷଡଯନ୍ତ୍ରକାରୀଙ୍କ ପ୍ରଲୋଭନ ଓ ଚକ୍ରାନ୍ତରେ ବେଆଇନ ଭାବେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ବେଳେ ଗ୍ରାମବାସୀଙ୍କ ପ୍ରଦତ୍ତ ଜମି ଓ ଘରକୁ ଚଞ୍ଚକତା କରି ନିଜ ନାମରେ ପଟା କରେଇନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ୧୦-୦୧-୨୦୨୨ ରେ ଲିଖିତ ଭାବେ ବାଲିଗୁଡା ଥାନାରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୂଜା ପାଇଁ ବ୍ୟବହୃତ ମୂଲ୍ୟବାନ ଧାତୁର ମୁକୁଟ, ଢାଳ, ଓ ପୂଜା ସାମଗ୍ରୀକୁ ହଡପ କରି ନିଆଯାଇଥିବା ବେଳେ ଷଡ଼ଯନ୍ତ୍ରକାରୀ କିଛି ଲୋକଙ୍କ ସହ ମିଶି ଧରାଣୀପେନୁ ଖମ୍ବକୁ ପୋଡ଼ି ଦେଇଛନ୍ତି ପ୍ରଦୀପ ଓ ତାଙ୍କ ସହଯୋଗୀ । ଏହାର ଭିଡ଼ିଓ କ୍ଲିପ ପୋଲିସକୁ ଦିଆଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ସିଥିଳତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ସେହିଭଳି କିଛିଦିନ ପୂର୍ବେ ଜଣେ ଯୁବକ ଉଦେଶ୍ୟ ମୂଳକ ଭାବେ ବାରମ୍ବାର ହିନ୍ଦୁ ଦେବା ଦେବୀଙ୍କ ପ୍ରତି ଅଶ୍ଳୀଳ ଟିପ୍ପଣୀ ଦେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ବେଳେ ପ୍ରଶାସନର ନୀରବତା ପରେ କୋର୍ଟର ହସ୍ତକ୍ଷେପ ଓ ନିର୍ଦ୍ଦେଶ ପରେ ଉକ୍ତ ଯୁବକକୁ ଗିରଫ କରି ଜେଲ ପଠେଇଥିଲା ପୋଲିସ। ସେହିଭଳି ଜିଲ୍ଲାରେ ଷଡଯନ୍ତ୍ର ଓ ଯୋଜନା କରି ଅନାଥ ଆଶ୍ରମ ନାରେ , ସରକାରୀ , ଜଙ୍ଗଲ , ଆଦିବାସୀ ଜମିକୁ ହଡପ କରି ପରେ ଅନାଥ ଆଶ୍ରମ ବନ୍ଦ କରି ଉକ୍ତ ଜାଗାରେ ଚର୍ଚ୍ଚ ନିର୍ମାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏନେଇ ପ୍ରଶାସନିକ ନୀରବତା ନିରପେକ୍ଷତା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି । ସଂଖ୍ୟା ଗରିଷ୍ଠ ହିନ୍ଦୁଙ୍କର ପୁଞ୍ଜିଭୁତ ଅସନ୍ତୋଷ ଏକ ବିସ୍ଫୋରକ ରୂପ ନେଇ ଜିଲ୍ଲାକୁ ଯେ ପୁଣି ଅଶାନ୍ତ ନ କରିବ ଏହାକୁ ଏଡାଇ ଦିଆଯାଇ ନପାରେ । ପ୍ରଶାସନ ଏସବୁରେ ତୀକ୍ଷ୍ଣ ଦୃଷ୍ଟିରଖି ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମତ ପ୍ରକାଶ ପାଇଛି ।