ଭୁବନେଶ୍ୱର, ବାଲେଶ୍ୱର ଜିଲ୍ଲା ସୋର ବିଦୁ ଛକରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ ଓ ଜଣେ ମହିଳା ଅଛନ୍ତି । ସେହିପରି ୨୦ରୁ ଜଣ ଆହତ ହୋଇଛନ୍ତି । ବସ୍ କୁ ଏକ କୋଇଲା ବୋଝେଇ ଟ୍ରକ୍ ପିଟିବା ଫଳରେ ବସ୍ ଟି ଓଲଟି ପଡିଥିଲା ।
ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ ‘ଶାନ୍ତିଲତା’ ଉଦଳାରୁ ଭୁବନେଶ୍ୱର ଯାଉଥିଲା । ବସ୍ ରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହା ବିଦୁ ଛକରେ ବସ୍ ଷ୍ଟପ୍ ରେ ଅଟକିଥିଲା । ସେଠାରେ କିଛି ଯାତ୍ରୀ ଓହ୍ଲାଉଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବସ୍ ଟିକୁ ଧକ୍କା ଦେଇଥିଲା । ଫଳରେ ବସ୍ ଟି ରାସ୍ତାକଡ଼ ଖାଲକୁ ଖସି ଯାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ସୋର ଡାକ୍ତରଖାନା କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଡାକ୍ତରଖାନାରେ ପହଂଚିଲା ବେଳକୁ ସେମାନଙ୍କ ମୃତ୍ୟୁ ଘଟି ସାରିଥିଲା । ସେହିପରି ସୋର ଡାକ୍ତରଖାନାରେ ୨୦ ଜଣ ଆହତ ଭର୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୬ ଜଣ ଯାତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ବସ୍ କୁ ଧକ୍କା ଦେବା ପରେ ଟ୍ରକ୍ ଟି ମଧ୍ୟ ଓଲଟି ପଡ଼ିଥିଲା । ବସ୍ଟି ରାସ୍ତାକଡ଼ ଖାଲ ଭିତରକୁ ଖସି ଯାଇ ଓଲଟି ପଡ଼ିଥିବା ବେଳେ ଟ୍ରକ୍ ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ବସ୍ ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା ।