
ନୂଆପଡ଼ା, ମାନବିକତା ଆଜି ବି ବଞ୍ଚିରହିଛି । ଖଡ଼ିଆଳ ସହର ପୋଲିସପଡାର ଜଣେ ବିବାହିତା ମହିଳା ମାନସିକ ଭାରସାମ୍ୟ ହରାଇ ଏଣେତେଣେ ଘୁରି ବୁଲୁଥିଲେ । ଖଡ଼ିଆଳ ଥାନା ସବ ଇନିସପେକ୍ଟର ଭାନୁମତି ବେହେରା ରାତ୍ରି ପେଟ୍ରୋଲିଙ୍ଗ ସମୟରେ ବାଦୀ ଛକ ଯାଇକା ହୋଟେଲ ପାଖରେ ତାଙ୍କୁ ଦେଖିଥିଲେ । ସେହି ସମୟରେ ଉକ୍ତ ମହିଳାଙ୍କ ଦେହରେ କପଡ଼ା ମଧ୍ୟ ନ ଥିଲା । ସଙ୍ଗେ ସଙ୍ଗେ ସବ ଇନିସ୍ପେକ୍ଟର ଭାନୁମତି ଉକ୍ତ ମହିଳାଙ୍କୁ ବସ୍ତ୍ର ପିନ୍ଧାଇଥିଲେ । ତାଙ୍କ ଘର କେଉଁଠି ବୋଲି ଖଡ଼ିଆଳ ସହର ସାରା ଖୋଜିଲେ । ଦୀର୍ଘ ତିନି ଘଣ୍ଟା ଖୋଜିଲା ପରେ ଉକ୍ତ ମହିଳାଙ୍କ ଘର ପୋଲିସିପଡା ବୋଲି ଜଣାପଡିଥିଲା । ତାଙ୍କ ଘରକୁ ନେଲା ବେଳକୁ ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଘରେ ଥିଲେ । ମହିଳାଙ୍କୁ ପରେ ତାଙ୍କ ଘରେ ଛାଡ଼ି ସବ ଇନିସ୍ପେକ୍ଟର ବେହେରା ଚାଲି ଆସିଥିଲେ । ଖଡ଼ିଆଳ ସହରରେ ଜଣେ ମହିଳା ପୋଲିସ ଅଧିକାରୀ ରାତ୍ର ୧୧ଟା ପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ମହିଳାଙ୍କ ଘର ଖୋଜି ତାଙ୍କୁ ଘରେ ଛାଡ଼ି ଥିବାରୁ ଲୋକେ ସବ ଇନ୍ସପେକ୍ଟର ଭାନୁମତିଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ମାନବିକତା ଏବେ ବି ବଞ୍ଚିଛି ବୋଲି ଚର୍ଚ୍ଚା କରୁଛନ୍ତି ।