
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ସର୍ବବୃହତ ଆସିକା ସମବାୟ ଚିନିଶିଳ୍ପରେ ବିଧିବଦ୍ଧ ଭାବେ ଆଖୁ ପେଡ଼ା ଆରମ୍ଭ ହୋଇଛି । ଗତ ୧୫ ତାରିଖରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଆଖୁନାଳିରେ ଆଖୁ ପକାଯାଇଥିଲା । ଏହାପରେ ଚାଷୀଙ୍କୁ କ୍ଷେତରୁ ଆଖୁ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଚାଷୀ ନିଜ ବ୍ୟବସ୍ଥାରେ ଓ ଚିନିଶିଳ୍ପ ତରଫରୁ ହୋଇଥିବା ପରିବହନ ବ୍ୟବସ୍ଥା ଅନୁସାରେ ଆଖୁ ଚିନିଶିଳ୍ପକୁ ଆଣୁଛନ୍ତି । ଚଳିତ ବର୍ଷ ୩୪ ହଜାର ୫୦୦ ମେଟ୍ରିକ୍ ଟନ୍ ଆଖୁ ପେଡିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ଆଖୁ ଦରରେ କୌଣସି ବୃଦ୍ଧି ହୋଇନଥିବା ବେଳେ ଚିନି ଶିଳ୍ପ କର୍ତୃପକ୍ଷ ପରିବହନ ବାବଦରେ ଟନ୍ ପିଛା ୬୧ ଟଙ୍କା ୫୦ ପଇସା ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଉଦ୍ୟମରେ ବିନା ଋଣରେ ଠିକ୍ ସମୟରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ କର୍ତୃପକ୍ଷ ସ୍ଥିର କରିଛନ୍ତି ।
ଅନ୍ୟପକ୍ଷରେ ଆଖୁପେଡା ଆରମ୍ଭ ହେବା ପରେ ଚାଷୀ ମାନେ ଟ୍ରକ୍, ଟ୍ରାକ୍ଟର, ପିକଅପ୍ ଭ୍ୟାନ୍ ଓ ଶଗଡ଼ରେ ଆଖୁ ଆଣିବା ଆରମ୍ଭ କରିଛନ୍ତି । ଚିନି ଶିଳ୍ପ ସଂଲଗ୍ନ ରାସ୍ତାରେ ଶତାଧିକ ଗାଡି ଲାଗିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଠିକ୍ ସମୟରେ ଆଖୁପେଡା ଆରମ୍ଭ ହୋଇଛି । ଆସନ୍ତା ବର୍ଷ ୬୦ ହଜାର ଟନ୍ ଆଖୁ ଚାଷ ପାଇଁ ଶିଳ୍ପ କର୍ତୃପକ୍ଷ ଯୋଜନା ରଖିଛନ୍ତି ।