
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଅନେକ ଗ୍ରାମବାସୀ ମାନଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବଡ଼ିଗେଟା ପଞ୍ଚାୟତର ସରପଞ୍ଚ ପଦବି ପାଇଁ ସେହି ଗ୍ରାମର ରୀନା ମାଢ଼ି ନାମକ ଜଣେ ଶିକ୍ଷିତ ଆଦିବାସୀ ଯୁବତୀ ନାମାଙ୍କନପତ୍ର ଦାଖଲ କରିବାକୁ ବଡ଼ିଗେଟା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ତାଙ୍କର ନାଁ ଭୋଟର ତାଲିକାରେ ନଥିବାରୁ ସେ ନାମାଙ୍କନପତ୍ର ଦାଖଲ କରି ପାରିନଥିବା ଜଣାପଡ଼ିଛି । ପୂର୍ବରୁ ତାଙ୍କର ନାମ ଭୋଟର ତାଲିକାରେ ରହିଥିଲେ ମଧ୍ୟ ଚଳିତ ଭୋଟର ତାଲିକାରେ ତାଙ୍କ ନାମ ନ ଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେବଳ ରୀନା ଙ୍କ ନାଁ ନୁହେଁ ବଡ଼ିଗେଟା ଓ ଗନ୍ଧିଗୁଡ଼ା ଗ୍ରାମର ଅଧିକାଂଶ ଲୋକଙ୍କର ଭୋଟର ତାଲିକାରେ ନାଁ ନଥିବାର ଦେଖିବାକୁ ମିଳିଥିଲା । ବଡ଼ିଗେଟା ପଞ୍ଚାୟତର ୫ନଂ ୱାର୍ଡରେ ଏହି ଦୁଇ ଗ୍ରାମର ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଲୋକଙ୍କ ନାମ ଭୋଟର ତାଲିକାରୁ କିପରି ବାଦ୍ ପଡ଼ିଲା ସେ ନେଇ ଗ୍ରାମବାସୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେହିପରି ଭେଙ୍କଟପାଲମ ପଞ୍ଚାୟତ ଅନ୍ତର୍ଗତ ପାନିମେଟଲା ଗ୍ରାମର ଅଧିକାଂଶ ଲୋକଙ୍କର ଭୋଟର ତାଲିକାରେ ନାଁ ନାହିଁ । ଏହି ଗ୍ରାମ ଭେଙ୍କଟପାଲମ ପଞ୍ଚାୟତର ୮ନଂ ୱାର୍ଡରେ ସାମିଲ ହୋଇଥିଲେ ମଧ୍ୟ ଗ୍ରାମବାସୀମାନଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ସେମାନେ ଚଳିତ ନିବାର୍ଚନରେ ଭୋଟ୍ ଦେବାରୁ ବଞ୍ଚିତ ହେବାର ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏ ସମ୍ପର୍କରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଢ଼ି ଓ ବଡ଼ିଗେଟା ପଞ୍ଚାୟତର ଗ୍ରାମବାସୀମାନେ ବିଡିଓଙ୍କୁ ଭେଟି ଗୁହାରୀ କରିଥିଲେ । ସେ ଏ ସମ୍ପର୍କରେ ନିବାର୍ଚନ କମିଶନଙ୍କୁ ଜଣାଇବେ ବୋଲି କହିଥିବାର ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ତେବେ ଶତାଧିକ ଗ୍ରାମବାସୀଙ୍କର ନାମ କିପରି ଭୋଟର ତାଲିକାରୁ ବାଦ୍ ପଡ଼ିଲା ଏହା ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।