
ବଲାଙ୍ଗିର, ବିଭିନ୍ନ ନିଶାର ବେଆଇନ ବ୍ୟାପାରରେ ବଲାଙ୍ଗୀର ପେଣ୍ଠରେ ପରିଣତ ହୋଇଛି । ବେପାରୀ ମାନେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିଥିଲା ବେଳେ ପୁଲିସ ଦ୍ଵାରା ଧରାପଡି ଅନେକେ ଭିତରକୁ ଯାଉଥିଲା ବେଳେ ଏହା ଥମିବାର ନାମ ଧରୁ ନାହିଁ । ବଲାଙ୍ଗିର କଫ୍ ସିରପ୍ ଚୋରା ଚାଲାଣକାରୀ ମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ବେଳେ ବାରମ୍ବାର ଜିଲ୍ଲା ପୋଲିସର ଚଢ଼ଉରେ ଧରା ପଡ଼ୁଛନ୍ତି ଅନେକ କଫ୍ ସିରପ୍ ଚୋରା ଚାଲାଣକାରୀ । ଅନୁରୂପ ଭାବେ ବଲାଙ୍ଗିର ସଦର ପୋଲିସ ଦ୍ୱାରା ୫ ହଜାର ୨୮୦ ବୋତଲ କଫ୍ ସିରପ୍ ଜବତ ସହ ୩ ଜଣ ଗିରଫ ହୋଇଥିବା ବିଷୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ତୋଫାନ ବାଗ । ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଟାଉନ୍ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ଏବଂ ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଏସଡିପିଓ ଶ୍ରୀ ବାଗ ଏ ସମ୍ପର୍କରେ ତଥ୍ୟ ରଖିଛନ୍ତି ।
ସୂଚନା ଅନୁସାରେ, କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ପୋଲିସର ଏକ ଟିମ୍ ସ୍ଥାନୀୟ ପଥରଚେପା ନିକଟରେ ଗତକାଲି ସଂଧ୍ୟାରେ ଏକ ଅଶୋକ ଲେଲ୍ୟାଣ୍ଡ ପିକଅପ୍ ଗାଡ଼ି (ନଂ.ଓଡ଼ି୦୩ପି୨୬୫୧)କୁ ଅଟକାଇ ସେଥିରେ ଅଖା ଢଙ୍କା ଯାଇଥିବା ୫୨୮୦ ବୋତଲ୍ କଫ୍ ସିରପ୍ ଜବତ କରିବା ସହ ଗାଡ଼ିରେ ଥିବା ଦୁଇ ଜଣ ମଘା ଓରଫ୍ କ୍ଷମାନିଧି ମେହେର (୩୧) ଏବଂ ପାଟଣାଗଡ଼ ବାବାଜୀପଡ଼ାର ସୁରେଶ ଦାଶ (୩୪)ଙ୍କୁ ଗିରଫ କରିଥିଲା । ପରେ ଏହି ପିକଅପ୍ ଗାଡ଼ିକୁ ଏସକର୍ଟ ଦେଇ ଆଗରେ ଯାଉଥିବା ଲରମ୍ଭା ଥାନା ଅଧୀନସ୍ଥ ଲୁହାସିଂହାର ଗୋଲୁ ଓରଫ୍ ଲକ୍ଷ୍ମୀନାରାୟଣ ଅଗ୍ରୱାଲ (୪୨)ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ତେବେ ୫,୨୮୦ ବୋତଲ କଫ୍ ସିରପ୍ ସହ ପିକଅପ୍ ଭ୍ୟାନ୍, ୩ ମୋବାଇଲ୍ ଫୋନ୍, ଗନି ବ୍ୟାଗ୍ ଓ ନଗଦ ୩୬୫୦ ଟଙ୍କା ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଜବତ୍ କରିଥିବା ଜଣାପଡିଛି ।
ଏହି ଚଢ଼ଉ ସମୟରେ ସଦର ଆଇଆଇସି ଶ୍ରୀ ସାହୁଙ୍କ ସମେତ ଏସଆଇ ଝସକେତନ ଭୋଇ, ଏସଆଇ ବାସୁଦେବ ଭୋଇ, ଏସଆଇ ଅବିନାଶ ନାୟକ, ଏସଆଇ ଆକାଶ ସାମଲ, ଏଏସଆଇ ହେମନ୍ତ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ୍ ରହିଥିବା ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି । ତେବେ ଜବତ କଫ୍ ସିରପର ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।