
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଲକ ସଦର ମହକୁମାରେ ଥିବା ସରକାରୀ ସ୍କୁଲକୁ ରାଜ୍ୟ ସରକାର ୫-ଟି ଯୋଜନାରେ ସାମିଲ୍ କରିବା ପରେ ବଦଳି ଯାଇଛି ଏହାର ରୂପରେଖ । ୪୩ ବର୍ଷର ଏହି ପୁରୁଣା ସରକାରୀ ସ୍କୁଲର ରୂପରେଖ ଏମିତି ବଦଳିଯିବ ବୋଲି କେହି ଭାବି ନଥିଲେ । ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନରେ ଏହି ସ୍କୁଲ ପାଇଁ ଖର୍ଚ୍ଚ କରିଛନ୍ତି ପ୍ରାୟ ୨ କୋଟି ଟଙ୍କା । ଯାହାକି ଏହି ସ୍କୁଲଟି ଏକ ପର୍ଯ୍ୟଟନସ୍ଥଳୀର ଭ୍ରମ ସୃଷ୍ଟି କରୁଛି । ବିଦ୍ୟାଳୟର ରୂପରେଖ ପରିବର୍ତନ ହେବା ପରେ ଏହି ସ୍କାର୍ଟ ସ୍କୁଲକୁ ଦେଖିବାକୁ ଏବେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ଼ ।
ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଲକର ସଦର ମହକୁମାରେ ରହିଛି କାଲିମେଳା ସରକାରୀ ହାଇସ୍କୁଲ । ୧୯୭୯ ମସିହାରେ ସ୍ଥାପିତ ଏହି ହାଇସ୍କୁଲରେ ଆଖପାଖ ଅଂଚଳର ପ୍ରାୟ ୭ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ଗରୀବ ଓ ଆଦିବାସୀ ଶ୍ରେଣୀର ହୋଇଥିବାବେଳେ ସେମାନଙ୍କ ପାଇଁ କମ୍ପ୍ୟୁଟର, ସ୍ମାର୍ଟ କ୍ଲାସ ରୁମ୍, ଇ -ଲାଇବ୍ରେରୀ ପରି ଅନେକ ଜିନିଷ ସପ୍ନ ହୋଇ ରହିଯାଇଥିଲା । ହେଲେ ଏହିସବୁ ଜିନିଷ ଆଉ ସପ୍ନ ହୋଇ ରହିନାହିଁ । ତାହା ଏବେ ବାସ୍ତବ ରୂପ ନେଇସାରିଛି । କାଲିମେଳା ହାଇସ୍କୁଲ ଏବେ ସ୍କାର୍ଟ ସ୍କୁଲ ହୋଇସାରିଛି । ଏଠାରେ ସ୍ମାର୍ଟ ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ ଅତ୍ୟାଧୁନିକ ଲ୍ୟାବ, ଓପନ ଜିମ୍, ସୁନ୍ଦର ବଗିଚା, ବିଭିନ୍ନ ବୈଜ୍ଞାନିକ ଉପକରଣ ସହ ସାଇନ୍ସ ପାର୍କ, ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ଛାତ୍ରଛାତ୍ରୀ ତଥା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିଛି । ଫଳରେ ଏହାକୁ ଦେଖିବାକୁ ଏବେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସହ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପୁରା ସ୍କୁଲକୁ ସିସିଟିଭି ନଜରରେ ରଖାଯାଇଛି । ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟଗୁଡ଼ିକ ଛୁଟି ହୋଇ ଯାଇଥିବାରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ମଧ୍ୟ ଛାତ୍ରଛାତ୍ରୀମାନେ ଏଠାକୁ ଆସି ବିଭିନ୍ନ ଶିକ୍ଷଣୀୟ କଥା ଶିଖିପାରୁଛନ୍ତି । ସେହିପରି ଏଠାରେ ଥିବା ସୁନ୍ଦର ପେଣ୍ଡାଲରେ ସକାଳୁ ସକାଳୁ ବରିଷ୍ଠ ନାଗରିକମାନେ ଆସି ଯୋଗ ଅଭ୍ୟାସ କରୁଛନ୍ତି । କେବଳ ଛାତ୍ରଛାତ୍ରୀ ନୁହେଁ ଏହି ସ୍କୁଲରେ ପାଠ ପଢ଼ୁଥିବା ପୁରୁଣା ବ୍ୟାଚର ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ସ୍ଥାନରୁ ଏହି ସ୍ମାର୍ଟ ସ୍କୁଲକୁ ଦେଖିବାକୁ ଆସୁଛନ୍ତି । ଏପରିକି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏବେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି । ତେଣୁ ଏହି ସ୍ମାର୍ଟ ସ୍କୁଲକୁ ଆସି ଆମେ ବେଶ୍ ଖୁସି ଅନୁଭବ କରିବା ସହିତ ଅନେକ ଜିନିଷ ଶିଖିବାକୁ ପାଇଲୁ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । ଏଥି ସହିତ ଏହି ଉପାନ୍ତ ଅଂଚଳର ଏହି ସ୍ମାର୍ଟ ସ୍କୁଲଟି ଯେ କୌଣସି ଘରୋଇ ସ୍କୁଲ ଠାରୁ କମ୍ ନୁହେଁ ବୋଲି ମଧ୍ୟ ପର୍ଯ୍ୟଟକମାନେ ମତ ପ୍ରକାଶ କରିଛନ୍ତି ।
ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରଥମେ ୫-ଟି ଯୋଜନାରେ ଜିଲ୍ଲାର ୬ଟି ହାଇସ୍କୁଲକୁ ରୂପାନ୍ତରକରଣ କରିଥିବାବେଳେ ସେଥି ମଧ୍ୟରୁ ଫୋକସରେ ରହିଛି କାଲିମେଳା ହାଇସ୍କୁଲ । ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର ଏହି ସ୍କୁଲକୁ ସ୍କାର୍ଟ ସ୍କୁଲରେ ରୂପାନ୍ତରିତ କରିବାପରେ ଏହା ଏବେ ଜିଲ୍ଲାରେ ଚର୍ଚ୍ଚାରେ ରହିଥିବାର ଜଣାପଡ଼ିଛି । ତେବେ ଯେଉଁ ଆଦିବାସୀ ଅଧୁଷିତ ଅଞ୍ଚଳ ଛାତ୍ରଛାତ୍ରୀମାନେ ପୁରୁଣା ବେଞ୍ଚ ଡେ଼କ୍ସ ଓ କଳାପଟାରେ ପାଠ ପଢୁଥିଲେ ସେମାନେ ଏବେ ଡିଜିଟାଲ କ୍ଳାସ ରୁମରେ ବସି ପାଠ ପଢ଼ିବାର ସୁଯୋଗ ପାଇପାରିଛନ୍ତି ବୋଲି କହିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ । ସେହିପରି ଏହି ସ୍କୁଲକୁ ରାଜ୍ୟ ସରକାର ୫ – ଟି ଯୋଜନାରେ ସାମିଲ କରି ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଥିବାରୁ ରାଜ୍ୟ ସରକାରଙ୍କୁ ତାରିଫ୍ କରିବାକୁ ପଛାଇନାହାଁନ୍ତି । ସରକାରୀ ଅନୁଦାନ ସାଙ୍ଗକୁ ଜିଲ୍ଲା ପ୍ରଶାସନର ତତ୍ବାବଧାନରେ କାମ ଚାଲିଥିବା ବେଳେ ବଣ ଜଙ୍ଗଲଘେରା ଗ୍ରାମାଞ୍ଚଳରେ ମଡେଲ ସ୍କୁଲ ମୁଣ୍ଡ ଟେକିଲାଣି । ଯାହା ସ୍ଥାନୀୟ ଲୋକଙ୍କୁ ଖୁସି ଦେଉଥିବା ବେଳେ ସହରରୁ ବି ଛାତ୍ରଛାତ୍ରୀ ପାଠ ପଢିବାକୁ ଗାଁମୁହାଁ ହେଲେଣି ।